ପୁରୀ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିର ରତ୍ନବେଦୀରୁ ଚତୁର୍ଦ୍ଧାମୂର୍ତ୍ତି ବାହାରି ସ୍ନାନବେଦୀରେ ବିଜେ କରିଛନ୍ତି । ସ୍ନାନବେଦୀ ଉପରେ ତିନି ଠାକୁର ବଡ଼ ଭାଇ ବଳଭଦ୍ର, ଜଗତରନାଥ ଜଗନ୍ନାଥ ଓ ଦେବୀ ସୁଭଦ୍ରା ୧୦୮ ଗରା ସୁବାସିତ ଜଳରେ କରିଛନ୍ତି ମହାସ୍ନାନ । ଶଙ୍ଖ, ହୁଳହୁଳି, ହରିବୋଲ, ଖୋଳତାଳରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ଦିବ୍ୟଲୀଳା ଦେଖିବାକୁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି । ବର୍ଷକ ଯାକ ମହାପ୍ରଭୁ ଗୁପ୍ତଭାବେ ମନ୍ତ୍ର ସ୍ନାନ କରି ଥାଆନ୍ତି । ମାତ୍ର ବର୍ଷକୁ ଥରେ ମହାପ୍ରଭୁ ଜଳରେ ସ୍ନାନ କରନ୍ତି ।
ଭୋର ସାଢ଼େ ୪ଟା ପରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ହୋଇଥିଲା । ପ୍ରାତଃ ପ୍ରାୟ ୬ଟା ସମୟରେ ଧାଡ଼ି ପହଣ୍ଡିରେ ବାହାରିଥିଲେ ତିନି ଠାକୁର । ପ୍ରଥମେ ବଡ଼ ଠାକୁର ପ୍ରଭୁ ଶ୍ରୀବଳଦେବ, ତାଙ୍କ ପଛକୁ ଭଉଣୀ ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ ଝୁଲି ଝୁଲି ରତ୍ନବେଦୀରୁ ସ୍ନାନବେଦୀରେ ବିଜେ କରିଥିଲେ । ସକାଳ ୯ଟା ସୁଦ୍ଧା ପହଣ୍ଡି ନୀତି ସମ୍ପନ୍ନ ହୋଇଥିଲା । ମଙ୍ଗଳ ଆଳତୀ ସହିତ ଅନ୍ୟାନ୍ୟ ନୀତିକାନ୍ତି ସୁରୁଖରେ ସମ୍ପାଦିତ ହୋଇଥିଲା । ଏହା ପରେ ସୁନା କୂଅରୁ ସୁନା କଳସୀରେ ଆସିଥିଲା ଜଳ । ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରଣ କରାଯାଇ ଉକ୍ତ ଜଳକୁ ଅଭିମନ୍ତ୍ରିତ କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଦିବ୍ୟ ମହାସ୍ନାନ । ୧୦୮ ଗରା ସୁବାସିତ ଜଳ ମଧ୍ୟରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଇଛି ।
ମହାସ୍ନାନ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ନାନ ବେଦୀ ଉପରେ ସୁବର୍ଣ୍ଣ ଝାଡ଼ୁରେ ଛେରା ପହଁରା ନୀତି କରିଥିଲେ । ଏହା ଶ୍ରୀଜୀଉଙ୍କ ଗଜାନନ ବେଶ ବା ହାତୀ ବେଶ ଆରମ୍ଭ ହୋଇଥିଲା ।