ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ସାରା ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଗାଙ୍ଗେୟ- ପଶ୍ଚିମବଙ୍ଗ ଉପତ୍ୟକା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଅଞ୍ଚଳ ବାୟୂମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଆଜି ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବିଜୁଳି ଘଡଘଡି ପାଇଁ ୧୭ ଜିଲ୍ଳାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଅଧିକ ବର୍ଷା ସମ୍ଭାବନା ଅଛି । ୮ ତାରିଖରେ ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ରେ ଭାରି ବର୍ଷା ହୋଇପାରେ ।ଏହି ତିନି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ତେବେ ଆସନ୍ତା ୨୪ଘଣ୍ଟାରେ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ସୁବର୍ଣ୍ଣପୁର, ଅନୁଗୋଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ୩୦ରୁ ୪୦କି.ମି.ବେଗରେ ପବନ ଓ ବଜ୍ରପାତର ସମ୍ଭାବନା ରହିଛି।