ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ୧୩ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର କିମ୍ବା ଏହାର କିଛି ଦକ୍ଷିଣରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହା ପରବର୍ତ୍ତୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ୧୭ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି । ଏନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।
ମଙ୍ଗଳବାର ଏବଂ ବୁଧବାର ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ପବନର ବେଗ ୩୦ରୁ ୪୦ କି.ମି ମଧ୍ୟରେ ରହିବ । ସେଥିପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ପ୍ରବଳ ବର୍ଷା ପାଇଁ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୭ ତାରିଖ ଏବଂ ୮ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ସୋମବାର ବାରିପଦାରେ ସର୍ବାଧିକ ୨୭.୭ ମିମି ବର୍ଷା ହୋଇଥିବାବେଳେ ଦାରିଙ୍ଗିବାଡ଼ିରେ ୧୯ ମିମି, ବରଗଡ଼ରେ ୧୦.୨ ମିମି, ଦେବଗଡ଼ରେ ୨.୪ ମିମି ଏବଂ ସମ୍ବଳପୁରରେ ୦.୭ ମିମି ବର୍ଷା ହୋଇଥିବା ସୂଚନା ଦିଆଯାଇଛି ।