ଯାଜପୁର: ଆଜି ମଣ୍ଡପରେ ମହାମାୟା ଜଗତ ଜନନୀ ମା’ ଦୁର୍ଗାଙ୍କ ମହାନବମୀ ଅନୁଷ୍ଠିତ ହେଉଛି । କିନ୍ତୁ ଅନ୍ୟପକ୍ଷରେ ମା’ଙ୍କ ଠାରୁ ଲୁଟ ହୋଇଥିବା ଖବର ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ ମା’ଙ୍କୁ ମଧ୍ୟ ଛାଡ଼ିଲେନି । ମଣ୍ଡପରୁ ମା’ଙ୍କର ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର କୋରେଇ ଥାନା ବରୁଣ୍ଡେଇସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ କୋରେଇ ଥାନାରେ ମାମଲା ରୁଜୁ ହୋଇଛି ।
ଅଭିଯୋଗ ମୁତାବକ, ଗତକାଲି ରାତିରେ ମା’ଙ୍କର ଅଷ୍ଟମୀ ପୂଜା ସରିବା ପରେ ପ୍ରସାଦ ସେବନ ହୋଇଥିଲା । ଏହା ପରେ କମିଟି ସଦସ୍ୟ ଓ ପୂଜକ ମନ୍ଦିର ଭିତରେ ଶୋଇଥିଲେ। ହଠାତ ରାତି ୨ଟା ବେଳେ ମନ୍ଦିର ମୁଖ୍ୟ ଦ୍ୱାର ଖୋଲାଥିବା ଦେଖିଥିଲେ କମିଟି ସଦସ୍ୟ । ପରେ ମା’ଙ୍କର ସମସ୍ତ ସୁନା ରୁପା ଅଳଙ୍କାର ଲୁଟି ହୋଇଥିବା ଜାଣିବାକୁ ପାଇଥିଲେ । ମାଆଙ୍କ ହାର,ମୁକୁଟ, ତ୍ରିଶୂଳ, କାନଫୁଲ, ନାକଫୁଲ ଇତ୍ୟାଦି ସୁନାରୁପା ଗହଣା ପାଖାପାଖି ୧୫ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା କୋରେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ତଦନ୍ତ ଆରମ୍ଭ ହୋଇଛି ।