ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଛାଡ଼ି ପଳାଇଥିବା ମହାବଳ ବାଘୁଣୀ ଜିନ୍ନତ ଶୁକ୍ରବାର ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ଝାଡ଼ଖଣ୍ଡ ରାଜ୍ୟ ଚାଇଁବସା ଦେଇ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ବନଖଣ୍ଡର ବେଲପାହାଡ଼ି ରେଞ୍ଜ ଜଙ୍ଗଲରେ ସେ ରହିଥିବା ସୂଚନା ମିଳିଛି। ଗୋଟିଏ ଦିନରେ ସେ ପାଖାପାଖ ୨୮ କି.ମି. ଚାଲିଥିବା ଜଣାପଡ଼ିଛି। ଜିନ୍ନତର ପ୍ରବେଶ ପରେ ଉକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।
ଗତ ୮ ତାରିଖରୁ ବାଙ୍ଗିରିପୋଷି ଦେଇ ଝାଡ଼ଖଣ୍ଡର ଚାକୁଳିଆ ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ବୁଲିବା ସହ ୧୯ ତାରିଖରେ ଚିରଚିରା, ଚିକିଲିଗଡ଼, ଗଦ୍ଧନ, ପରିହାତୀ, ଦୁବରାଜପୁର ଓ ସିଲଦା ଦେଇପଶ୍ଚିମବଙ୍ଗରେ ପ୍ରବେଶ କରିଛି
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ନଭେମ୍ବର ୧୪ରେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ଜନ୍ନତ ଗତ ୮ ତାରିଖରେ ଝାଡ଼ଖଣ୍ଡ ପଳାଇଥୁଲା। ବେକରେ ଲାଗିଥିବା ରେଡିଓକଲାର ମାଧ୍ୟମରେ ତା'ର ଗତିବିଧ ଉପରେ ବନ ବିଭାଗ ନଜର ରଖୁଥିଲା। ୧୩ ଦିନ ଧରି ଝାଡ଼ଖଣ୍ଡର ଟିଆବାନ୍ଧି ଜଙ୍ଗଲରେ ରହିବା ପରେ ଶୁକ୍ରବାର ପଶ୍ଚିମବଙ୍ଗ ରାଜ୍ୟ ଜଙ୍ଗଲ ସୀମାରେ ସେ ବୁଲୁଥିବା ନେଇ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।
ପଶ୍ଚିମବଙ୍ଗ ବନଖଣ୍ଡ ଅଧିକାରୀଙ୍କୁ ଜିନ୍ନତର ଅବସ୍ଥିତି ସମ୍ପର୍କରେ ଜଣାଇ ଦିଆଯାଇଛି। ତେବେ ଟିଆବାନ୍ଧି ଜଙ୍ଗଲରେ ଖାଦ୍ୟାଭାବ ଓ ଝାଡ଼ଖଣ୍ଡୀ ହାତୀ ଭୟରେ ଭିନ୍ନତ ପଶ୍ଚିମବଙ୍ଗ ପଳାଇଛି । ତେବେ ପଶ୍ଚିମବଙ୍ଗରୁ ଜିନ୍ନତ ଫେରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏହି ରାଜ୍ୟରେ ବାଘର ବାସସ୍ଥାନ ଓ ଖାଦ୍ୟପେୟରେ ଅଭାବ ନ ଥିବାରୁ ପୁନର୍ବାର ସେ ଶିମିଳିପାଳ ଫେରିବା ନେଇ ସନ୍ଦେହ ଉପୁଜିଛି ।