ବାଲେଶ୍ୱର: ରାତିରେ ଜାତୀୟ ରାଜପଥରେ ଯାଉଥିବା ସମସ୍ତ ଗାଡିର ଡ୍ରାଇଭରଙ୍କୁ ଅଟକାଇ ଦିଆଯାଉଛି ମାଗଣା ଚା’ । ଦୁର୍ଘଟଣା ରୋକିବାକୁ ଏଭଳି ନିଆରା ପଦକ୍ଷେପ ଆପଣାଇଛି ପରିବହନ ବିଭାଗ । ବାଲେଶ୍ୱର ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜାତୀୟ ରାଜପଥରେ ଗାଡି ଗୁଡିକୁ ଅଟକାଇ ଡ୍ରାଇଭରଙ୍କୁ ମୁହଁ ଧୋଇବାକୁ କହିବା ସହ ସେମାନଙ୍କୁ ମାଗଣା ଚା’ ଯୋଗାଇ ଦିଆଯାଉଛି । ତେବେ ଏହି ମାଗଣା ଚା’ ଦେବା ପଛର ଉଦ୍ଦେଶ୍ୟ ହେଉଛି ଦୁର୍ଘଟଣା ରୋକିବା ।
ବର୍ତ୍ତମାନ ଶୀତ ଦିନ । ଥଣ୍ଡାରୁ ରାତିରେ ଗାଡି ଚଳାଇବା ବେଳେ ଡ୍ରାଇଭରଙ୍କ ଆଖି ଲାଖିଯାଇଥାଏ, ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ରାତି ପ୍ରାୟ ୩ଟାରୁ ୬ ମଧ୍ୟରେ ଅଧିକାଂଶ ଡ୍ରାଇଭରଙ୍କୁ ନିଦ ଲାଗିଥାଏ, ଏଥିପାଇଁ ଅନେକ ଦୁର୍ଘଟଣା ଘଟିଥାଏ । ଏହି ଦୁର୍ଘଟଣାକୁ ରୋକିବା ଉଦ୍ଦେଶ୍ୟରେ ପରିବହନ ବିଭାଗ ତତ୍ପରତା ଦେଖାଇଛି । ରାତିରେ ବାଲେଶ୍ୱର ଦେଇ ଅତିକ୍ରମ କରୁଥିବା ସମସ୍ତ ଗାଡି ଗୁଡିକୁ ଅଟକାଇ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚା’ ଦିଆଯାଉଛି ।