କଟକ: କଟକରେ ବେଆଇନ ବନ୍ଧୁକ କାରଖାନା ଠାବ। ଘର ପାଖରେ ଗାଈ ଗୁହାଳ ଓ ତାରି କଡ଼ରେ ଚାଲିଥିଲା ବେଆଇନ ବନ୍ଧୁକ କାରଖାନା। କଟକ ୪୨ ମୌଜା ଧୁଳେଶ୍ବର ଗ୍ରାମରେ ଏହି ବେଆଇନ ବନ୍ଧୁକ ତିଆରି କାରଖାନା ଚାଲିଥିଲା।
ସୂଚନା ଅନୁଯାୟୀ ୪୨ ମୌଜା ଧୁଳେଶ୍ବର ଗ୍ରାମର ଶରତ ଚନ୍ଦ୍ର ଯାଦବ ଘରେ ଦୀର୍ଘ ଦିନ ଚାଲିଥିଲା ଏହି କାରଖାନା । ଏହି କାରଖାନାରେ ରହିଥିଲା ବନ୍ଧୁକ ତିଆରି ମେସିନ ସହିତ ଅନେକ ଯନ୍ତ୍ରପାତି। ବନ୍ଧୁକ ତିଆରି ପାଇଁ ବିହାରରୁ ଆସୁଥିଲା କଞ୍ଚାମାଲ ଓ ବନ୍ଧୁକ ତିଆରିରେ ଲାଗିଥିଲେ ବିହାରର ଏବଂ ପଶ୍ଚିମବଙ୍ଗର କାରିଗର । ଏନେଇ ସୂଚନା ପାଇବା ପରେ ଆଜି ବେଆଇନ ବନ୍ଧୁକ କାରଖାନା ଉପରେ ଚଢାଉ କରିଥିଲା ଏସଟିଏଫ। ଚଢାଉ ସମୟରେ ବନ୍ଧୁକ ତିଆରିରେ ଲାଗିଥିଲେ ଜଣେ ବିହାରୀ କାରିଗର ସହ ଆଉ ୨ ପଶ୍ଚିମ ବଙ୍ଗ କାରିଗର। ଘଟଣା ସ୍ଥଳରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଏଥିସହ ୩୦ରୁ ଅଧିକ ବନ୍ଧୁକ ଓ ଅନେକ ମେସିନ ଜବତ କରାଯାଇଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ବନ୍ଧୁକ ତିଆରି ପାଇଁ ଏଭଳି ଏକ ଜାଗାକୁ ନିଆ ଯାଇଥିଲା ଯେ ହଠାତ୍ ଦେଖିଲେ କେହି ବିଶ୍ୱାସ କରି ପାରିବେ ନାହିଁ ଏଠାରେ ବେଆଇନ ବନ୍ଧୁକ ତିଆରି ହେଉଛି ।