ଭୁବନେଶ୍ୱର: ଦୀର୍ଘ ଦିନର ଖୋଳତାଡ଼ ପରେ ଶେଷରେ ବନ୍ଧା ହୋଇଛନ୍ତି ବିଜେଡ଼ି ଯୁବ ନେତା ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଅନ୍ୟପକ୍ଷରେ ସଦାଶିବ ସାମଲ, ସୁଧାଂଶୁ ଶେଖର ନାୟକ ଏବଂ ସମୀର ଜେନା ମଧ୍ୟ ସନ୍ଦେହ ଘେରରେ ରହିଛନ୍ତି । ଏମାନଙ୍କ ବିରୋଧରେ ଯାଞ୍ଚ ଜାରି ରହିଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।
କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ମୁତାବକ, ରାଜା ଚକ୍ର ବିଜେଡ଼ି ଦଳର ପତିଆରାରେ ନିଜର କଳା ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାରେ ଗୁରୁବାର ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ବିଭିନ୍ନ ଠିକଣାରେ ଚଢ଼ଉ ଏବଂ ମାରାଥନ୍ ଜେରା ପରେ ଶେଷରେ ବନ୍ଧା ହୋଇଛନ୍ତି ରାଜା । ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି କଳା ଧମ ଆୟ କରିଛି ରାଜା ଚକ୍ର । ୪୦ଟି ବଡ଼ ହାଇୱା ଗାଡ଼ି ସମେତ ଅନ୍ୟ ୨ଟି ଗାଡ଼ି ଜବତ କରାଯାଇଛି । ସେହିପରି ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମାରାଶିକୁ ଫ୍ରିଜ୍ କରାଯାଇଛି ।
ଅଡିଟ୍ ସମୟରେ ଜଣାପଡ଼ିଛି ଯେ ପାରିପାର୍ଶ୍ଵିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବାବେଳେ ସେମିତି କିଛି ଖର୍ଚ୍ଚ ହୋଇ ନ ଥିବା ୨ ଜଣ ବିଡିଓ କହିଛନ୍ତି । ସଦାଶିବ ସାମଲ, ସୁଧାଂଶୁ ଶେଖର ନାୟକ ଏବଂ ସମୀର ଜେନା ଏହି ପଇସାକୁ ମଧ୍ୟ ହଡ଼ପ କରିଥିବା ଜଣାପଡ଼ିଛି । ତଥାପି କ୍ରାଇମବ୍ରାଞ୍ଚ ସେମାନଙ୍କୁ ସମୟ ଦେଇଛି । ନିଜ ବିରୁଦ୍ଧରେ ଅଭିଯୋଗକୁ ଭୁଲ ପ୍ରମାଣିତ କରିବାକୁ, ଯଦି ସେମାନେ ସମୟ ମଧ୍ୟରେ ଆବଶ୍ୟକୀୟ କାଗଜପତ୍ର ଦାଖଲ ନ କରି ପାରନ୍ତି, ତେବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି ।
ସେହିପରି ମା’ କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କାକୁ ତେଲ ବାବଦକୁ ପେମେଣ୍ଟ ହୋଇଥିବା ଦର୍ଶାଯାଇଛି । କିନ୍ତୁ ଜିଏମଏଲକୁ କୌଣସି ତେଲ ଦିଆଯାଇନାହିଁ । ଏହି ଜିଏମଏଲକୁ ଯିବା ପରିବର୍ତ୍ତେ ରାଜାଙ୍କ ଗାଡ଼ି ପାଇଁ ବ୍ୟବହାର କରାଯାଉଥିଲା । ସେହିପରି ବିକାଶ ନାଁରେ ଆସୁଥିବା ଟଙ୍କାକୁ ଦଳୀୟ କାମରେ ଲଗାଯାଇଛି । କୋ ଅପରେଟିଭ୍ ସୋସାଇଟିରେ ଥିବା ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ ୩୩ କୋଟି ଟଙ୍କା ବାଣ୍ଟି ଦିଆଯାଇଛି । ଯେଉଁଥିପାଇଁ ସେମାନେ ସବୁବେଳେ ରାଜାଙ୍କ ସମର୍ଥନରେ କଥା କହୁଥିଲେ ।
ଏହା ମଧ୍ୟ ଜଣାପଡିଛି ଯେ ପ୍ରାୟ ୭୪ କୋଟି ଟଙ୍କା ଲୋଡିଂ ଚାର୍ଜ ଏବଂ ଶ୍ରମ ଦେୟ ଭାବରେ ଦର୍ଶାଯାଇଛି । ସମ୍ପୃକ୍ତ ମଷ୍ଟର ରୋଲ୍ ଏବଂ ଭାଉଚରଗୁଡ଼ିକ ଏକ ବଡ଼ ପାର୍ଥକ୍ୟ ରହିଛି । ଯାହାକି ବିଲକୁଲ ତାଳ ମେଳ ଖାଉନାହିଁ । ୨୦୧୨ ଏବଂ ୧୩ ପରଠାରୁ ସୋସାଇଟି ପକ୍ଷରୁ କୌଣସି ଅଡିଟ୍ କରାଯାଇ ନାହିଁ।
ରାଜା ଚକ୍ର ଏହି ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଶେଷରେ ରାଜା ଚକ୍ର ଗିରଫ ଇଓଡବ୍ଲ୍ୟୁ ଦ୍ୱାରା ଗିରଫ ହୋଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, କୋଟି କୋଟି ଟଙ୍କାର ପରିବହନ ଠକେଇ ଅଭିଯୋଗରେ ବିଜେଡି ନେତା ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ଓ ଏସଟିଏଫର ଟିମ୍ ତାଙ୍କର ୧୦ଟି ସ୍ଥାନରେ ମିଳିତ ଚଢ଼ାଉ କରିଥିଲା । କେନ୍ଦୁଝର, ଗୋପାଳପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭୁବନେଶ୍ଵର ଆଦି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା । ଟଙ୍କା ହେରଫେର ମାମଲାରେ ଗତ ଫେବୃଆରୀ ୮ରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ ଅପରେଟିଭ ଲିମିଟେଡର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ସମୟରେ ଏହି ଠକେଇ ର଼୍ୟାକେଟରେ ଅନେକ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ ସମବାୟ ସମିତି ଲିମିଟେଡ ୨୦୦୬ରେ ପଞ୍ଜୀକୃତ ହୋଇଥିଲା । ଗନ୍ଧମାର୍ଦ୍ଦନ ଖଣି ଦ୍ୱାରା କ୍ଷତିଗ୍ରସ୍ତ ପରିବାରକୁ କର୍ମସଂସ୍ଥାନ ଯୋଗାଇବା ଏହି ସଂସ୍ଥାର ମୁଖ୍ୟ ଲକ୍ଷ୍ୟ ଥିଲା । ୨୦୧୭-୧୮ରୁ ୨୦୨୩-୨୪ ଆର୍ଥକ ବର୍ଷ ପର୍ୟ୍ୟନ୍ତ ସଂସ୍ଥାର ଅଡିଟ୍ ହୋଇ ନ ଥିଲା ।