ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଚାଷୀଙ୍କ ଚିନ୍ତା ବଢ଼ାଇଛି । ଶୀତ ଦିନେ ଅଦିନିଆ ବର୍ଷା ଯେମିତି ଚାଷୀଙ୍କ ପାଇଁ ଦୁର୍ଦ୍ଦଶା ନେଇକି ଆସିଛି । ବିଲରେ ପାଚିଲା ଧାନ ବର୍ଷା ପାଣିରେ ଭାସୁଛି । ଆକାଶର ବର୍ଷା ଚାଷୀ ଆଖିର ଲୁହ ହୋଇ ଝରି ଯାଉଛି । ଅମଳ ସମୟରେ ବର୍ଷା ଚାଷୀଙ୍କୁ ହନ୍ତସନ୍ତ କରୁଛି । ସେପଟେ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସିଥିବା ଚାଷୀ ହନ୍ତସନ୍ତ ହେଉଛନ୍ତି । ବର୍ଷା ଯୋଗୁଁ ମଣ୍ଡିରେ ଧାନ ନଷ୍ଟା ହେବାର ସମ୍ଭାବନା ଦେଖାଦେଇଛି । ତେବେ ଧାନ ନଷ୍ଟ ହେଲେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।
ମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଧାନ ନଷ୍ଟ ହେଲେ କ୍ଷତିପୂରଣ ପ୍ରଦାନ କରାଯିବ । ସମସ୍ତ ମଣ୍ଡିରେ ଜରି ପାଲର ବ୍ୟବସ୍ଥା କରାଯାଇଛି । ତେଣୁ ମଣ୍ଡିରେ ଧାନ ଓଦା ହେବାର ସମ୍ଭାବନା କମ୍ ରହିଛି । ବିଲରେ ବର୍ଷା ଯୋଗୁଁ ଗଜା ହୋଇଯାଇପାରେ ଧାନ । ବର୍ଷା କମିଲେ ଧାନ ଶୁଖିଲା ପରେ ମଣ୍ଡିରେ କିଣାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ସେପଟେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଆସନ୍ତାକାଲି ଯାଏ ବର୍ଷା ହେବାର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ ମୟୂରଭଞ୍ଜ,କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ କହିଛି ।