କେନ୍ଦୁଝରରେ ହାଇୱା ଦୁର୍ଘଟଣା ମାମଲାରେ ମୃତକଙ୍କ ପରିବାରକୁ ଅନୁକମ୍ପା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି (ରବିବାର) ହାଟଡିହୀ ବ୍ଲକ ବିଷ୍ଣୁପୁର ଗାଁର ୫୮ ବର୍ଷୀୟ ଆନନ୍ଦ ଜେନାଙ୍କ ହାଇୱା ଧକ୍କାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।
ହାଇୱା ଦୁର୍ଘଟଣାରେ ଆନନ୍ଦଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଏବଂ ବାଲି ପରିବହନରେ କଟକଣା ଦାବି କରି ଗ୍ରାମବାସୀ ମୃତଦେହ ରଖି ରାସ୍ତାରୋକ କରିଥିଲେ। ତେବେ ସହାୟତା ପ୍ରଦାନ ପରେ ଆନ୍ଦୋଳନ ସୋମବାର ପ୍ରତ୍ୟାହୃତ ହୋଇଛି। ଏଥିସହ ଦୁର୍ଘଟଣା ଘଟାଇଥିବା ହାଇୱା ମାଲିକ ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏନେଇ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା ଏବଂ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି।
ସୂଚନା ମୁତାବିକ, ସାଇକେଲ ଆରୋହୀ ଆନନ୍ଦ ଶାଳନିଆଁ ବଜାରରୁ ନିଜ ଘରକୁ ସାଇକେଲ ଚଳାଇ ଫେରୁଥିଲେ। ପଛପଟୁ ବାଲି ଘାଟକୁ ଯାଉଥିବା ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ଆନନ୍ଦଙ୍କ ଉପରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକ ବିଷ୍ଣୁପୁର ବାଲି ଘାଟକୁ ଯାଇଥିବା ହନୁମାନ ଛକ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଥିଲେ।
ଆନ୍ଦୋଳନସ୍ଥଳରେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେପି ନେତା ଆଲୋକ ସେଠିଙ୍କ ସମେତ ସ୍ଥାନୀୟ ପ୍ରତିନିଧି ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପରେ ହାଇୱା ମାଲିକ ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ଘଟଣାରେ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ: ଜମି ବିବାଦକୁ ନେଇ ଟ୍ରିପଲ ମର୍ଡର; ବଡ଼ ଭାଇ, ଭାଉଜ ଓ ଝିଆରୀକୁ ବିଭତ୍ସ ହତ୍ୟା କଲା ଅଭିଯୁକ୍ତ