ଖୋର୍ଦ୍ଧା: ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିଛନ୍ତି। ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି।
ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି, "ସ୍ୱାଧୀନତା ସଂଗ୍ରାମରେ ପାଇକଙ୍କ ବୀରତ୍ୱ ଶୌର୍ଯ୍ୟ ଅତୁଳନୀୟ। ଏହି ମାଟିର ବୀରତା ଇତିହାସ, ତ୍ୟାଗ ଏହି ମାଟିର ପରମ୍ପରା ଏବଂ ସ୍ୱାଧୀନତା ଏହି ମାଟିର ଆତ୍ମସମ୍ମାନ। ଏହି ମାଟି ଅଗଣିତ ପ୍ରତିଭାଙ୍କୁ ଜନ୍ମ ଦେଇଛି। ମୁଣ୍ଡ କଟିଯିବ ପଛେ ମୁଣ୍ଡ ନୁଆଁଇବୁ ନାହିଁ, ଏଭଳି ସଂକଳ୍ପ ସହ ବ୍ରିଟିଶ ସରକାର ବିରୋଧରେ ପ୍ରଥମ ସଂଗଠିତ ବିଦ୍ରୋହ ଏହି ମାଟିରୁ ଜନ୍ମ ନେଇଥିଲା। ଏହି ବୀର ମାଟିରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା ଏବଂ ଜାତୀୟ ପତାକା ଉତ୍ତୋଳନ କରିବା ମୋ ପାଇଁ ସୌଭାଗ୍ୟର ବିଷୟ"। ଏଥିସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହିତ ସୁଭଦ୍ରା ଯୋଜନା ମହିଳାଙ୍କୁ କିଭଳି ଅଧିକ ସଶକ୍ତିକରଣ କରିବ ତାହା କହିଛନ୍ତି।
ଶେଷରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପରେ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲାପାଳ ଅମ୍ରିତ ଋତୁରାଜ, ଏସ୍ପି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ।
ଅଧିକ ପଢନ୍ତୁ: କଟକରେ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ; ବିଭିନ୍ନ ଯୋଜନାର ସଫଳତା ବଖାଣିବା ସହ ପୂର୍ବ ସରକାରଙ୍କୁ କଲେ ଟାର୍ଗେଟ