ନୂଆଦିଲ୍ଲୀ: ବାଂଲାଦେଶ କୋର୍ଟ ୩ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୪ରେ ଶେଖ ହସିନା ସରକାର ବିରୁଦ୍ଧରେ ହୋଇଥିବା ବିକ୍ଷୋଭରେ ୬ ଜଣ ବିକ୍ଷୋଭକାରୀଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ କୋର୍ଟ ପୂର୍ବତନ ପୋଲିସ ଅଧିକାରୀ ଓ କାର୍ୟ୍ୟରତ ପୋଲିସ ଅଧିକାରୀଙ୍କୁ ସୋମବାର ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ୫ ଜଣ ପୋଲିସଙ୍କୁ ଭିନ୍ନ ଭିନ୍ନ କାରାବାସ ଦଣ୍ଡ ମିଳିଛି ।
ବାଂଲାର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ-୧ର ବିଚାରପତି ଏମଡି ଗୋଲାମ ମର୍ତୁଜା ମଜୁମଦାର, ବିଚାରପତି ମହମ୍ମଦ ଶୈଫୁଲ ଆଲମ ମହମୁଦ ଏବଂ ବିଚାରପତି ମୋହିତୁଲ ହକ ଅନମ ଚୌଧୁରୀଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଢାକା ମେଟ୍ରୋପଲିଟାନ୍ ପୋଲିସ କମିଶନର ହବିବୁର ରେହମାନ, ପୂର୍ବତନ ଯୁଗ୍ମ କମିଶନର ସୁଦିପ କୁମାର ଚକ୍ରବର୍ତ୍ତ ଏବଂ ରମ୍ନା ଜୋନର ପୂର୍ବତନ ଅତିରିକ୍ତ ଉପାୟୁକ୍ତ ଶାହ ଆଲମ ମହମ୍ମଦ ଅଖତୁର ଇସଲାମଙ୍କ ବିରୋଦ୍ଧରେ ଏପରି ରାୟ ଶୁଣାଇଛନ୍ତି । ସେହିପରି ଅନ୍ୟ ୫ ଜଣ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ଦଣ୍ଡରେ ଦଣ୍ଡିତ କରିଛନ୍ତି । ରମ୍ନା ଜୋନର ସହକାରୀ କମିଶନର ମହମ୍ମଦ ଇମ୍ରୁଲଙ୍କୁ ୬ ବର୍ଷ, ଶାହବାଗ ଥାନା ଇସ୍ପେକ୍ଟର ମହମ୍ମଦ ଅର୍ଶଦ ହୋସେନଙ୍କୁ ୪ ବର୍ଷ, କନଷ୍ଟେବଳ ମହମ୍ମଦ ସୁଜନ ମିଆ, ମହମ୍ମଦ ହୁସେନ୍ ଇମନ ଏବଂ ମହମ୍ମଦ ନସିରୁଲ ଇସଲାମଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏମାନେ ଏବେବି ପୋଲିସ ହେପାଜତରେ ରହିଛନ୍ତି । କୋର୍ଟ ୨୬ ଜଣ ସାକ୍ଷୀ ଏବଂ ୨୩ ଟି କାର୍ୟ୍ୟଦିବସରେ ଶୁଶାଣି କରି ଏହି ଦଣ୍ଡାଦେଶ ଦେଇଛନ୍ତି ।
ବିଚାରପତି ଏମଡି ଗୋଲାମ ମର୍ତୁଜା ମଜୁମଦାର ଶୁଣାଣିରେ କହିଛନ୍ତି ଯେ ପୋଲିସ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ଖୋଲା ଗୁଳିଚାଳନା କରିଥିବା ପ୍ରମାଣିତ ହୋଇଛି । ହବିବୁର ରେହମାନ ଗୁଳି ଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟ ଓକିଲ ମହମ୍ମଦ ତାଜମୁଲ ଅନ୍ୟ ୫ ଜଣଙ୍କ ଜେଲ ଦଣ୍ଡାଦେଶକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ପୀଡ଼ିତ ପରିବାର ମଧ୍ୟ ଏହାକୁ ନେଇ ଖୁସି ନାହାଁନ୍ତି । ମୃତ ବିକ୍ଷୋଭକାରୀ ଶାହରିଆର ଖାନଙ୍କ ମା ସଞ୍ଜିଦା ଖାନ କୋର୍ଟ ରୁମରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ସମସ୍ତ ପୀଡ଼ିତ ପରିବାର ସମସ୍ତ ୮ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଦଣ୍ଡ ପାଇଁ ଅଦାଲତଙ୍କ ନିକଟରେ ଦାବି କରିଛନ୍ତି ।
ଗତ ବର୍ଷ ନଭେମ୍ବରରେ ଏହି କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ପୂର୍ବତନ ଗୃହ ମନ୍ତ୍ରୀ ଅସାଦୁଜାମାନ ଖାନ କମଲଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ପ୍ରକାଶ ଯୋଗ୍ୟ, ୨୦୨୪ରେ ଶେଖ ହସିନା ସରକାର ବିରୁଦ୍ଧରେ ବଡ଼ ହିଂସା ଘଟିଥିଲା । ୫ ଅଗଷ୍ଟ, ୨୦୨୪ରେ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ । ସେହିଦିନ ଢାକାର ଚଙ୍ଖରପୁଲରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ୬ ଜଣ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ । ଏପ୍ରିଲ ୨୧, ୨୦୨୫ରେ ପୋଲିସ ପ୍ରଥମ ତଦନ୍ତ ରିପୋର୍ଟ ଦାଖଲ କରିଥିଲା ।