ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ସଦ୍ୟତମ ଖବର ଅନୁଯାୟୀ, ଆମେରିକାର ସମ୍ଭାବିତ ହମଲାକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲୀ ଖାମେନି ତେହରାନରେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଛନ୍ତି । ସେ କୌଣସି ଏକ ବଙ୍କରରେ ଲୁଚି ଯାଇଛନ୍ତି । ଇରାନ ଇଣ୍ଟରନ୍ୟାସନାଲ ଅନୁସାରେ, ଖାମେନିଙ୍କୁ ଏମିତି ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ଯେଉଁଠି ଅନେକ ସୁଡଙ୍ଗ ପରସ୍ପର ସହ ଯୋଡି ହୋଇ ରହିଛି ଏବଂ ଆଧୁନିକ ସୁରକ୍ଷା ଉପକରଣ ରହିଛି ।
ସେ ଅଣ୍ଡର ଗ୍ରାଉଣ୍ଡ ହେବା ପରେ ତାଙ୍କ ତୃତୀୟ ପୁଅ ମସୁଦ ଖାମେନି କାର୍ଯ୍ୟାଳୟରେ ଦୈନିକ କାମ ସମ୍ଭାଳିଛନ୍ତି । ସେ ସରାକରଙ୍କ ସହିତ ଏକ ଯୋଗାଯୋଗର ଏକ ମାଧ୍ୟମ ସାଜିଛନ୍ତି । ଇରାନର ରାଷ୍ଟ୍ରପତି ପେଜେଶକିୟନ ଚେତାବନୀ ଦେଇଛନ୍ତି ଯେ, ସର୍ବୋଚ୍ଚ ନେତାଙ୍କ ଉପରେ କୌଣସି ପ୍ରକାରର ହମଲା ସମଗ୍ର ଦେଶ ବିରୋଧରେ ପୂର୍ଣ୍ଣ ଯୁଦ୍ଧ ଭାବେ ବିବେଚନା କରାଯିବ ।
ଏହା ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଏକ ଆମେରିକା ଅର୍ମାଡ(ଲଢୁଆ ଦଳ) ଇରାନ ଅଭିମୁଖେ ଆଗକୁ ବଢୁଛି । ଆମେରିକା ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ବିମାନ ବାହକ ଯୁଦ୍ଧ ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନ ଓ ଅନେକ ବିଧ୍ୱଂସକ ପୋତ ବର୍ତ୍ତମାନ ଭାରତ ମହାସାଗରରେ ମୁତୟନ ଅଛି । ଆବଶ୍ୟକ ପଡିଲେ ଇରାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ ଦାବି କରିଛନ୍ତି ଯେ, ଆମେରିକା କଠୋର ଆଭିମୁଖ୍ୟ ପରେ ଇରାନରେ ୮୪୦ ଜଣଙ୍କ ଫାଶି ନିଷ୍ପତ୍ତିକୁ ଘୁଞ୍ଚାଇ ଦିଆଯାଇଛି ।
ଭାରତକୁ ଇରାନର ଧନ୍ୟବାଦ
ଉତ୍ତେଜନା ମଧ୍ୟରେ ଇରାନର ରାଜଦୂତ ମହମ୍ମଦ ଫତାଲି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ଇରାନ ବିରୋଧରେ ରାଜନୈତିକ ଭାବେ ପ୍ରେରିତ ପ୍ରସ୍ତାବ ବିରୋଧରେ ଭାରତ ଭୋଟ୍ ଦେଇଥିଲା । ଭାରତ ଚୀନ ଓ ପାକିସ୍ତାନ ସହ ମିଶି ଏହି ପ୍ରସ୍ତାବ ବିରୋଧରେ ଭୋଟିଂ କରିଥିଲା । ଭାରତର ଏହି ଭୋଟ୍ ଇରାନ ସହ ପୁରୁଣା ନୀତିର ଅଂଶ ବିଶେଷ ବୋଲି କୁହାଯାଉଛି ।
ଇରାନରେ ଡିସେମ୍ବର ଶେଷ ଆଡକୁ ବ୍ୟାପକ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ମାନବାଧିକାର କର୍ମୀ ଓ ୟୁଏନ ବିଶେଷଜ୍ଞଙ୍କ ଅନୁମାନ ଯେ, ଏହି ସମୟରେ ୫ ହଜାରରୁ ୨୦ ହଜାର ଲୋକଙ୍କ ହତ୍ୟା ହୋଇଥାଇପାରେ । ଚଳିତ ବର୍ଷ ଜାନୁଆରୀ ୮ରେ ଇରାନ ନିଜ ଇତିହାସରେ ସବୁଠୁ ଲମ୍ବା ଏବଂ ବ୍ୟାପକ ଇଣ୍ଟରନେଟ୍ ବ୍ଲାକଆଉଟ୍ ଲାଗୁ କରିଥିଲା । ଏଥିରେ ଦେଶର ଦୁନିଆ ସହ ସଂପର୍କ ପ୍ରାୟତଃ କଟି ଯାଇଥିଲା ।