ନୂଆଦିଲ୍ଲୀ: ବାଂଲାଦେଶରେ ନିର୍ବାଚନୀ ମାହୋଲ ମଧ୍ୟରେ ହିନ୍ଦୁଙ୍କ ପ୍ରତି ଆକ୍ରମଣ ଥମିବାର ନାଁ ନେଉନି । ସେଠାରେ ଜଣେ ପରେ ଜନେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । ଏହି କ୍ରମରେ ଶୁକ୍ରବାର ରାତିରେ ନରସିନ୍ଦିରେ ୨୩ ବର୍ଷୀୟ ଚଞ୍ଚଲ ଭୌମିକଙ୍କୁ ତାଙ୍କରି ଦୋକାନାରେ ଜୀବନ୍ତ ଜାଳି ହତ୍ୟା କରାଯାଇଛି । ଚଞ୍ଚଲ ଘଟଣା ଦିନ ରାତିରେ ଗ୍ୟାରେଜରେ ଶୋଇଥିଲେ । ଆକ୍ରମଣକାରୀ ବାହାରେ ସଟର ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଚଞ୍ଚଲ ଭିତର ପଟୁ ଯେତେ ଚିତ୍କାର କଲେ ବି କେହି ଶୁଣି ନ ଥିଲେ । ଯେ ପର୍ଯ୍ୟନ୍ତ ଚଞ୍ଚଲର ଚିତ୍କାର ବନ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଦୋକାନ ବାହାରେ ଛିଡା ହୋଇଥିଲେ । ଚଞ୍ଚଲଙ୍କ ଉପରେ ତାଙ୍କ ମାଆ ଏବଂ ଦିବ୍ୟାଙ୍ଗ ଭାଇ ନିର୍ଭରଶୀଳ ଥିଲା ।
ପଡୋଶୀଙ୍କ ଅନୁସାରେ ଚଞ୍ଚଲ ଜଣେ ଶାନ୍ତ ଏବଂ ପରିଶ୍ରମୀ ପିଲା ଥିଲା । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଏହା କୌଣସି ସାଧାରଣ ଘଟଣା ନୁହେଁ । ବରଂ ଧାର୍ମିକ ବିଦ୍ୱେଷରେ ପ୍ରେରିତ ଏକ ସୁନିୟୋଜିତ ହତ୍ୟା । ଏହା ପୂର୍ବରୁ ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସ ଓ ଖୋକନ ଦାସଙ୍କ ପରି ଅନ୍ୟ ହିନ୍ଦୁ ଯୁବକଙ୍କୁ ମଧ୍ୟ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
ଏହି ହିଂସାକୁ ଉସୁକାଇବାର କାମ ଚରମପନ୍ଥୀ ସଂଗଠନ ଜମାତ ଏ ଇସଲାମୀ ନେତା ଖୋଲାଖୋଲି କରୁଛନ୍ତି । ଏହି ହିଂସାକୁ ଆଉ ଟିକେ ପ୍ରୋତ୍ସାହନ ଦେବାର କାମ କରିଥିଲେ ବରଗୁନା-୨ ଆସନରୁ ପ୍ରାର୍ଥୀ ଅଫଜଲ ହୁସେନ । ସେ ନିକଟରେ ବୟାନ ଦେଇ ନିଆଁରେ ଘିଅ ଢାଳିବା କାମ କରିଥିଲେ । ଏକ ନିର୍ବାଚନୀ ସଭାରେ ସେ ଯୁକ୍ତ ବାଢିଥିଲେ ଯେ, ୮୦ ପ୍ରତିଶତ ମୁସଲିମ ବହୁଳ ଦେଶର ସଂସଦରେ ଅଣ ମୁସଲିମଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ ।
ଉଲ୍ଲେଖନୀୟ ଆଜିଠୁ ଗୋଟିଏ ସପ୍ତାହ ପୂର୍ବେ ବାଂଲାଦେଶର ଗାଜିପୁରରେ କଦଳୀକୁ ନେଇ ହୋଇଥିବା ବିବାଦ ପରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ତିନି ଜଣ ପିଟି ପିଟି ହତ୍ୟା କରିଥିଲେ । ସମସ୍ତ ଅଭିଯୁକ୍ତ ଗୋଟିଏ ପରିବାରର ସଦସ୍ୟ ଥିଲେ । ମୁତକ ବ୍ୟକ୍ତି ହେଉଛନ୍ତି ଲିଟନ ଚନ୍ଦ୍ର ଘୋଷ ଯିଏ ବୈଶାଖୀ ସ୍ୱିଟମିଟ୍ ଆଣ୍ଡ ହୋଟେଲର ମାଲିକ ଥିଲେ ।