ପାରାଦୀପ: ଜଗତସିଂହପରୁ ଜିଲ୍ଲା କୁଜଙ୍ଗ ଅଞ୍ଚଳରୁ ଆସିଛି ଦୁଃଖଦ ଖବର। ଜାତୀୟ ପତାକା ଖୋଲିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ତେରଗାଁର ଓମ ପ୍ରକାଶ ଦ୍ବିବେଦୀ। ଓମ ପ୍ରକାଶ କୁଜଙ୍ଗ ବିବି ହାଇସ୍କୁଲର ଜଣେ ମେଧାବୀ ଛାତ୍ର ଥିଲେ । ସେ କଜଙ୍ଗ ସମାଗୋଳରେ ନିଜ ମାମୁଁ ଘରେ ରହି ପାଠ ପଢୁଥିଲେ।
ସୂଚନା ଅନୁଯାୟୀ, ସକାଳେ କୁଜଙ୍ଗ ସ୍ଥିତ ଏକ କୋଚିଂ ସେଣ୍ଟରରେ ପତାକା ଉତ୍ତୋଳନ କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ପତାକା ଖୋଲିବା ସମୟରେ ଘଟିଥିଲା ଏହି ଅଘଟଣ। କୋଚିଂ ସେଣ୍ଟର ଉପର ଦେଇ ୧୧ କେଭି ବିଦ୍ୟୁତ ଲାଇନ ଯାଇଥିବା ବେଳେ, ପତାକା ଖୋଲୁଥିବା ସମୟରେ ଓମ ପ୍ରକାଶ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଅର ଏଭଳି ମୃତ୍ୟୁ ପରିବାରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ସେପଟେ, ବିପଜ୍ଜନକ ସ୍ଥିତିରେ କୋଚିଂ ସେଣ୍ଟର ମାଲିକ କିଭଳି ଜଣେ କୋମଳମତି ଶିଶୁକୁ ପତାକା ଖୋଲିବାକୁ ପଠାଇଲେ, ସେ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇବା ସହ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ କୁଜଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି। କୋଚିଂ ସେଣ୍ଟର ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।