ଭୁବନେଶ୍ୱର: ରାଜ୍ୟର ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ (JNV)ରେ ଜଣ୍ଡିସ୍ ବ୍ୟାପିବାରେ ଲାଗିଛି। ୩୦ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା ପଜିଟିଭ୍ ଆସିଛି। ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆବାସିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଘରକୁ ପଠାଇ ଦେଇଛନ୍ତି। ଜ୍ୱରରେ ପୀଡିତ ଅନ୍ୟ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେମାନଙ୍କୁ ମଧ୍ୟ ଘରକୁ ପଠାଇ ଦିଆଯାଇଛି।
ଅନ୍ୟପଟେ ଏହି ଘଟଣା ପରେ ସ୍କୁଲରେ ସ୍ବାସ୍ଥ୍ୟ ବିଭାଗର ଟିମ୍ ଓ ୱାଟକୋ ଟିମ୍ ପହଞ୍ଚିଛନ୍ତି। ୱାଟକୋ ଟିମ୍ ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଛନ୍ତି। କିଛି ଜଳର ନମୁନା ସେଠାରେ ପରୀକ୍ଷା କରାଯାଇଥିବାବେଳେ ସମସ୍ତ ନମୁନାକୁ ପରୀକ୍ଷା ପାଇଁ ଲାବ୍ରୋଟାରୀକୁ ପଠାଯାଇଛି। ତେବେ ୨୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକମାନେ ନେଇଯାଇଛନ୍ତି। ଏବେ ବି ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ସଂକ୍ରାମକ ଜଣ୍ଡିସ ରୋଗରେ ଆକ୍ରାନ୍ତ ଅଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସ୍ଵତନ୍ତ୍ର ସ୍ବାସ୍ଥ୍ୟ ଶିବିର ପାଇଁ ଅନୁରୋଧ କରିଛନ୍ତି। ସୋମବାର ମେଡିକାଲ ଟିମ୍ ଯିବେ।
ଅନ୍ୟ ପକ୍ଷରେ ସ୍କୁଲ ପରିସରରେ ବିଶୋଧନ, ସଚେତନତା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି। ବିଦ୍ୟାଳୟରେ ଏବେ ପ୍ରିବୋର୍ଡ ପରୀକ୍ଷା ଚାଲିଛି। ସ୍ବାସ୍ଥ୍ୟଗତ ସମସ୍ୟା ବଢ଼ୁଥିବାବେଳେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଏବଂ ଶିକ୍ଷକମାନେ ମଧ୍ୟ ଚିନ୍ତାରେ ରହିଛନ୍ତି। ସ୍କୁଲର ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୬୦ ରହିଥିବାବେଳେ ଅଧାରୁ ଅଧିକ ପିଲା ଏବେ ଜଣ୍ଡିସରେ ସଂକ୍ରମିତ ଅଛନ୍ତି।
ଅଧିକ ପଢନ୍ତୁ: ଲାଞ୍ଚ ନେଇ ଫସିଗଲେ ଥାନାବାବୁ; କଟକ ସିଆରଆରଆଇ ଥାନା ଆଇଆଇସିଙ୍କୁ ଗିରଫ କଲା ଭିଜିଲାନ୍ସ