ଗଜପତି: ଗଜପତି ଜିଲ୍ଲା ଚନ୍ଦ୍ରଗିରି ଢେପାସାହିରେ ପ୍ରେମ ପାଇଁ ଗୁଳିକାଣ୍ଡ ହୋଇଛି । ଚନ୍ଦ୍ରଗିରି ପୋଲିସ ଅଭିଯୁକ୍ତ ପ୍ରେମିକ ଲାଜାର ପ୍ରଧାନଙ୍କୁ ଗିରଫ କରିଛି । ଲାଜାର ନିକଟରୁ ଏକ ମାଉଜର ମଧ୍ୟ ଜବତ କରାଯାଇଛି । ଏହି ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ସନ୍ତୋଷ ପ୍ରଧାନ ଏବେବି ଫେରାର ରହିଛି ।
ପ୍ରକାଶ ଥାଉକି, ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କକୁ ନେଇ ବିବାଦ ଲାଗିରହିଥିଲା । ଗତ ୫ ତାରିଖ ଦିନ ଢେପାସାହିରେ ଏ ନେଇ ବୈଠକ ବସିଥିଲା । ବୈଠକରେ ପ୍ରେମିକ ଲାଜାର ପ୍ରଧାନ ଏବଂ ତା ଭାଇ ସନ୍ତୋଷ ପ୍ରଧାନ ଦୁହେଁ ମିଶି ଯୋଜନାବଦ୍ଧ ଭାବେ ଗୁଳିମାଡ଼ କରିଥିଲେ । ଯେଉଁଥିରେ ଝିଅର ସଂପର୍କୀୟ ଭାଇ ଅନିଲ କରାଡ଼ ଆହତ ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରୁ ୨ଟି ଖୋକା ଜବତ କରିଛନ୍ତି । ଘଟଣା ପରଠାରୁ ଲାଜାର ଏବଂ ସନ୍ତୋଷ ଫେରାର ଥିଲେ । ତେବେ ପୋଲିସ ଲାଜାରକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ଲାଜାର ପ୍ରଧାନ ନିକଟରୁ ଏକ ମାଉଜର ମଧ୍ୟ ଜବତ ହୋଇଛି । ଲାଜାର ଏହି ମାଉଜରକୁ ୧୫ ହଜାର ଟଙ୍କାରେ ରାଜ୍ୟ ବାହାରୁ କିଣିଥିବା ପୋଲିସ କହିଛି ।