ଭୁବନେଶ୍ଵର: ପୁରୀ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣା ପହଞ୍ଚିଲା ଓଡିଶା ମାନବାଧିକାର ଆୟୋଗରେ। ଓଡ଼ିଶା ମାନବାଧିକାର ଆୟୋଗରେ ଏ ନେଇ ମାମଲା ରୁଜୁ ହୋଇଛି। ଅଭିଯୋଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ଗୁରୁତର ଅବହେଳାକୁ ଦାୟୀ କରାଯିବା ସହ ପକ୍ଷଭୁକ୍ତ କରାଯାଇଛି। ସମାଜସେବୀ ଏନ ଏ ସାହ ଅନସାରୀ ଏହି ଅଭିଯୋଗ ଆଣିଛନ୍ତି।
ଅଭିଯୋଗ ଅନୁସାରେ, ରାସ୍ତା ଉପରେ ଦୀର୍ଘ ସମୟ ଧରି ବାଲି ରଖାଯାଇଥିଲା । ନା ବାରିକେଡ୍, ନା ସତର୍କ ସୂଚନା ବୋର୍ଡ ଥିଲା। ଏଭଳି ଅବ୍ୟବସ୍ଥାରେ ନିୟନ୍ତ୍ରଣ ହରାଇ ଭାରସାମ୍ୟ ହରାଇଥିବା ବେଳେ ପଛପଟୁ ଆସୁଥିବା ଏକ ବସ ଦୁର୍ଘଟଣା ଘଟାଇଥିଲା। ଏହି ଘଟଣାକୁ ନେଇ ଓଡ଼ିଶା ମାନବାଧିକାର ଆୟୋଗରେ ଅଭିଯୋଗ ଦାଖଲ ହୋଇଛି ।
ଅଭିଯୋଗରେ ସ୍ପଷ୍ଟ କୁହାଯାଇଛି ଯେ ଏହା ଭାରତ ସମ୍ବିଧାନର ଅନୁଚ୍ଛେଦ ୨୧ ଅର୍ଥାତ୍ ‘ଜୀବନର ଅଧିକାର’ ର ସିଧାସଳଖ ଉଲ୍ଲଂଘନ ହୋଇଛି। ମାନବାଧିକାର ଆୟୋଗଙ୍କୁ ଘଟଣାର ସ୍ୱତନ୍ତ୍ର ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପୀଡିତ ପରିବାରକୁ ଯଥୋଚିତ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି । ସମାଜସେବୀ ଏନ ଏ ସାହ ଅନସାରୀ ଏହି ଅଭିଯୋଗ ଆଣିଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ଭୁବନେଶ୍ବର ପୁରୀ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନ୍ୟୁଜ ସେଭେନର ପ୍ରତିନିଧି ଶୀଲା ପଟ୍ଟନାୟକଙ୍କର ଦେହାନ୍ତ ହୋଇଛି। ଶୀଲା ଏବଂ ଅନ୍ୟ ଜଣେ ମହିଳା ସିପିକା ପ୍ରିୟଦର୍ଶିନୀ ଏକ ସ୍କୁଟରରେ ଯାଉଥିବା ବେଳେ ରାସ୍ତାରେ ପଡ଼ିଥିବା ବାଲିରେ ନିୟନ୍ତ୍ରଣ ହରାଇବାରୁ ସ୍କୁଟି ସହ ପଡ଼ି ଯାଇଥିଲେ। ସେହି ସମୟରେ ପଛପଟୁ ଆସୁଥିବା ଏକ ବସ୍ ସେମାନଙ୍କ ଉପରେ ଚଢି ଯାଇଥିଲା। ଏହି ଘଟଣା ପରେ ରାଜପଥରେ ପଡିଥିବା ବାଲିକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।
Also read: ୨୦୪୭ ସୁଦ୍ଧା ବିକଶିତ ଭାରତ ଭିବି ଜି ରାମ୍ ଜି ବିଲ୍ର ଲକ୍ଷ୍ୟ; ମୁଖ୍ୟମନ୍ତ୍ରୀ କହିଲେ, ବିରୋଧୀ କରୁଛନ୍ତି ଅପପ୍ରଚାର