ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳ ମୁହାଁ । ଗତ ୨ଦିନ ହେବ ଶୀତ ସାମାନ୍ୟ କମ୍ ଥିବାବେଳେ ମଙ୍ଗଳବାରଠାରୁ ଶୀତ ପ୍ରକୋପ ପୁଣି ବୃଦ୍ଧି ପାଇଛି । ଆଗାମୀ ୪ଦିନରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଛି ପାରଦ । ସକାଳ ୫ଟା ୩୦ରେ ୭.୨ ଡିଗ୍ରୀ ରହିଛି ତାପମାତ୍ରା । ଝାରସୁଗୁଡ଼ାରେ ୫.୧ ଡିଗ୍ରୀ ଓ ବାଲେଶ୍ୱରରେ ୫.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ କେନ୍ଦୁଝରରେ ୬.୪, ଚାନ୍ଦବାଲି ୫.୬ ଓ ପାରାଦୀପରେ ୬.୨ ଡିଗ୍ରୀ ରହିଛି ତାପମାତ୍ରା । ସୋମବାର ରାତିରେ ଝାରସୁଗୁଡାରେ ସବୁଠୁ କମ୍ ୫.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୧୯୫୩ ମସିହାରୁ ଏପର୍ଯ୍ୟନ୍ତ ଝାରସୁଗୁଡାରେ ସବୁଠୁ ଥଣ୍ଡା ରେକର୍ଡ କରାଯାଇଛି । ଝାରସୁଗୁଡା ସମେତ ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଆହୁରି ୩ ଦିନ ରାଜ୍ୟରେ କଲବଲ କରିବ ଶୀତ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି ।
ଆଜି ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ବିଶେଷକରି ନୟାଗଡ଼, ବୌଦ୍ଧ, କୋରାପୁଟ ଏବଂ କନ୍ଧମାଳ ଜିଲାକୁ ଘନ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି କରାଯାଇଛି ।ସେପଟେ ଦକ୍ଷିଣ–ପୂର୍ବ ବଙ୍ଗୋପସାଗର ଏବଂ ପୂର୍ବ ଭାରତ ମହାସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ସମାନ ଅଞ୍ଚଳରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।