ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ଯାହାଫଳରେ ଶୀତର ପରିମାଣ ମଧ୍ୟ ଅହେତୁକ ଭାବେ ବଢ଼ିବାରେ ଲାଗିଛି। ଏପରିକି ୧୦ ଡିଗ୍ରୀ ତଳେ ୨୩ ସହର ରହିଥିବା ବେଳେ ୩୮ ସହରରେ ରାତି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ତେଣୁ ଅସ୍ତବ୍ୟସ୍ତ ହେଲାଣି ଧନଜୀବନ। ତେବେ ଆଜି ୩ ଡିଗ୍ରୀ ସହ ସବୁଠୁ ଥଣ୍ଡା ପାଲଟିଛି ଜି.ଉଦୟଗିରି। ସେମିଳିଗୁଡାରେ ୪.୧, ଫୁଲବାଣୀରେ ୫, ରାଉରକେଲାରେ ୫.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଶୀତ ସହିତ ଘନ କୁହୁଡି ମଧ୍ୟ ଜାରି ରହିଛି। ଯାହାଫଳରେ ୫୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ।
ତେବେ ଆସନ୍ତା ୨ ଦିନ ଆହୁରି ଅଧିକ ଶୀତ ଏବଂ ଘନ କୁହୁଡି ଅନୁଭୂତ ହେବ। ଯାହାଫଳରେ ରାତିର ତାପମାତ୍ରା ୮ ଡିଗ୍ରୀ ତଳକୁ ଖସି ଯିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ଥଣ୍ଡାରେ ଥରହର ହୋଇଛି ରାଜଧାନୀ। ରାଜଧାନୀ ଭବନେଶ୍ବରରେ ୧୦ ଡିଗ୍ରୀ ସେଲସିଅସକୁ ଖସିଛି ପାରଦ। ସେହିପରି ଦାରିଙ୍ଗବାଡ଼ିରେ ୭, କେନ୍ଦୁଝରରେ ୭.୬, ଚିପିଲିମାରେ ୭.୭, ସୁନ୍ଦରଗଡ଼ରେ ୭.୮ ଓ ଭବାନୀପାଟଣାରେ ୭.୮ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ଅନେକ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି। ଗତକାଲି ସୁନ୍ଦରଗଡ଼ କୋଇଡା ଓ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଛି। ଏପରିକି ଆଜି ମଧ୍ୟ ସେହିପରି ପରିସ୍ଥିତି ଉପୁଜିପାରେ ବୋଲି ପୂର୍ବାନୁମାନ କରାଯାଉଛି।