ଭୁବନେଶ୍ଵର: ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରଦୂଷଣ ନ ଥିଲେ ଜରିମାନା ନ ଲଗାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।
ଟୋଲଗେଟରେ ଇ-ଡିଟେକ୍ସନରେ କଟୁଥିବା ଏ ସମ୍ୱନ୍ଧୀୟ ଜରିମାନାକୁ ମଧ୍ୟ ସ୍ଥଗିତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା 10 ହଜାର ଟଙ୍କା ଜରିମାନାକୁ ହ୍ରାସ କରିବା ଦିଗରେ ତର୍ଜମା କରିବାକୁ ମଧ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଗାଡ଼ିର ପ୍ରଦୂଷଣ ଯାଞ୍ଚ କରିବା ସମସ୍ତଙ୍କ ଦାୟିତ୍ୱ । ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ଏହାର ସୁଧାର ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ସେଥିପାଇଁ ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ପ୍ରଦୂଷଣ ଯାଞ୍ଚ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ମୋଟର ଯାନ ଆଇନ ଅନୁଯାୟୀ ଏହା ବାଧ୍ୟତାମୂଳକ ମଧ୍ୟ ।
ଓଡ଼ିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ଅନେକ ଗାଡ଼ି ଏହି ନିୟମର ବ୍ୟାପକ ଉଲ୍ଲଙ୍ଘନ କରୁଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଏ ଦିଗରେ ସଚେତନତା ବୃଦ୍ଧି କରିବାକୁ ପ୍ରଦୂଷଣ ପ୍ରମାଣପତ୍ରକୁ ଗୁରୁତ୍ୱ ଦିଆଯାଇଛି । ତେବେ ଜନସାଧାରଣ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବାର ଦୃଷ୍ଟିକୁ ଆସିବାରୁ ଜନସାଧାରଣଙ୍କ ସୁବିଧା ପାଇଁ କୋହଳ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସମୟ ଅବଧିରେ ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
Also read: ଯାଞ୍ଚ ପରେ ହାଇକୋର୍ଟ କାର୍ଯ୍ୟ ସ୍ଵାଭାବିକ; ଶୁଣାଣି ଆରମ୍ଭ କଲେ ମୁଖ୍ୟ ବିଚାରପତି, ଡିଜିପି କହିଲେ, ବିଚଳିତ ହେବାର ନାହିଁ ଆବଶ୍ୟକ