ନୂଆପଡ଼ା: ନୂଆପଡ଼ାରେ ବିଜେଡି ନେତାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ସେ ହେଲେ ନବାଗତ ବିଜେଡ଼ି ନେତା ମହମ୍ମଦ ଜୁନେଦ । ତାଙ୍କର ଖରିଆର ରୋଡ୍ରେ ଥିବା ବାସଭବନରେ ଚଢ଼ଉ ହେଉଛି ।
ମହମ୍ମଦ ଜୁନେଦ ଗତକାଲି କଂଗ୍ରେସ ଦଳ ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ । ସେ ନୂଆପଡ଼ା କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ଏହା ସହିତ ଖରିଆର ରୋଡ଼ ନଗର କଂଗ୍ରେସର ପୂର୍ବତନ ସଭାପତି ଥିଲେ । ପରକୋଡ୍ ଠାରେ ଆୟୋଜିତ ବିଜେଡିର ଜନସଭା ଅବସରରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ବିଜେଡ଼ିରେ ଯୋଗ ଦେଇଛନ୍ତି । ନିଜ ପ୍ରତିକ୍ରିୟାରେ ଜୁନେଦ କହିଥିଲେ, ଦୀର୍ଘ ୧୭ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସ ଦଳରେ ନିଷ୍ଠାର ସହ କାମ କରି ଆସୁଥିଲି । କିନ୍ତୁ କଂଗ୍ରେସ କେବଳ ନିର୍ବାଚନ ସମୟରେ ସକ୍ରିୟ ହୋଇଯାଏ ଏବଂ ନିର୍ବାଚନ ସରିବା ପରେ ସମସ୍ତେ ଚୁପ୍ ବସି ଯାଉଛନ୍ତି । ଲୋକଙ୍କ ସହ ଦଳର ସମ୍ପର୍କ ରହୁନାହିଁ । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରା ଓ ଆଦର୍ଶରେ ପ୍ରଭାବିତ ହୋଇ ସେ ବିଜେଡ଼ିରେ ସାମିଲ ହୋଇଥିବା କହିଥିଲେ ।