କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜାତୀୟ ରାଜପଥ ୨୦ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଘସିପୁରା ଥାନା ଶାଳପଡା କନକ ମଂଜରି ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ଜଣ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଦୁଇ ଜଣ କନକ ମଂଜରୀ ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ବେଲବାହାଳି ଗାଁର ଦୀପାଂଜଳି ସାହୁ ଓ ଅନ୍ୟଜଣେ ସିଆପଡା ଗ୍ରାମର ଅନ୍ନପୂର୍ଣ୍ଣା ପାତ୍ର ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଦୁଇ ଜଣ ଛାତ୍ରୀ କ୍ଲାସ ସାରି ଘରକୁ ଫେରୁଥିଲେ । ଏହି ସମୟରେ କଲେଜ ଠାରୁ ଅଳ୍ପ ଦୂରରେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଯାହା ଫଳରେ ଉଭୟ ଛାତ୍ରୀ ରାସ୍ତା କଡକୁ ଛିଟିକି ପଡିଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ସ୍ଥାନୀୟ ଆନନ୍ଦପୁର ମେଡିକାଲରେ ଭର୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଉଭୟ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ କରାଯାଇଥିବା ବେଳେ ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।