ଭୁବନେଶ୍ୱର: ବିଜୁ ଜନତା ଦଳ ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ଦେଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଫଟୋକୁ ଏଆଇ ମାଧ୍ୟମରେ ଏଡ଼ିଟ୍ କରାଯାଇ ନୂଆପଡ଼ା ମତଦାତାଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟା କରାଯାଉଛି ବୋଲି ଦଳର ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି ।
ବିଜେପି ଅଭିଯୋଗ କରିଛି, ଗତ ୨୦୨୪ ମସିହା ସାଧାରଣ ନିର୍ବାଚନରେ ପରାଜୟ ଭୋଗିବା ପରେ, ବିଜେପି ସୋସିଆଲ ମିଡିଆରେ ଅପପ୍ରଚାର କାରଣରୁ ବିଜେଡିର ପରାଜୟ ଘଟିଛି ବୋଲି ଖୋଦ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳର ନେତାମାନେ ଚିତ୍କାର କରୁଥିଲେ । କିନ୍ତୁ ଆଜି ନିଜ ଅଭଯୋଗକୁ ଭୁଲ ବୋଲି ନିଜେ ବିଜେଡି ପ୍ରମାଣିତ କରିଛି । ବିଜେଡି ଦଳ ନିଜେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛି ଏବଂ ନିଶ୍ଚିତ ପରାଜୟର ଆତଙ୍କ ଘାରିଥିବା ବିଜେଡି ବର୍ତମାନ ଆଉ ଦୁଇ ପାଦ ଆଗକୁ ଯାଇ କୃତ୍ରିମ ବୁଦ୍ଧିମତା ତଥା ଏଆଇ ଜ୍ଞାନକୈାଶଳର ଅପବ୍ୟବହାର କରି ବିଭ୍ରାନ୍ତ ସୃଷ୍ଟି କରୁଛି । ଚଳିତ ନୂଆପଡା ଉପନିର୍ବାଚନରେ କୃତ୍ରିମ ବୁଦ୍ଧିମତା ଜରିଆରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ କଦର୍ଥ ଫଟୋ ଚିତ୍ରକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଭାଇରାଲ କରି ସାଧାରଣ ଭୋଟରଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଛି । ଏହା ସଂପୂର୍ଣ୍ଣ ଭାବେ ଦଣ୍ଡନୀୟ ଅପରାଧ ଏବଂ ଏଭଳି ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଇନ ମୁତାବକ ଦଣ୍ଡବିଧାନ କରିବାକୁ ବିଜେପିର ଏକ ପ୍ରତିନିଧିଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବୀ କରିଛି ।
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଶାଳୀନତାର ପାଠ ପଢ଼ାଉ ଥିବାବେଳେ ତାଙ୍କ କର୍ମୀମାନେ ତାଙ୍କର ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରୁଛନ୍ତି । ସତ କେବେ ଲୁଚି ରହେ ନାହିଁ । ଭୋଟ ହାତେଇବା ପାଇଁ ଏଆଇ ଫଟୋ ଭାଇରାଲ କରି ବିଜେଡିର ନେତାମାନେ କରୁଛନ୍ତି କଣ ଏବଂ ନିଜେ ନବୀନ ବାବୁ କାହିଁକି ମୁକ ଓ ବଧୂର ପାଲଟିଛନ୍ତି ? ବିଜେଡି ପରାଜୟ ଭୟରେ ଏପରି ହୀନ ଅପଚେଷ୍ଟା କରୁଛି । ଯାହାକୁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ ଓ ସାଇବର ଆଇନ ଅନୁସାରେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଶ୍ରୀ ଜୟନ୍ତ ଜେନା, ରାଜ୍ୟ ସାମାଜିକ ଗଣମାଧ୍ୟମ ସହ ସଂଯୋଜିକା ଶ୍ରୀମତୀ ମାନସୀ ମଞ୍ଜରୀ ପାଢୀ, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସେପଟେ ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି ମଧ୍ୟ ଜବାବ ରଖିଛନ୍ତି । ବିଜେପିର ସାଇବର୍ ଫ୍ୟାକ୍ଟ୍ରି ରହିଛି । ତେଣୁ ବିଜେପି କେମିତି ଏଭଳି ଅଭିଯୋଗ କରୁଛି ବୋଲି ଲେନିନ ପ୍ରଶ୍ନ କରିଛନ୍ତି ।