ବ୍ରିସବେନ: ବର୍ଷା ଯୋଗୁଁ ବ୍ରିସବେନର ଗାବାରେ ଖେଳା ଯାଉଥିବା ପଞ୍ଚମ ଟି-୨୦ ମ୍ୟାଚ୍ ଧୋଇ ଯାଇଛି। ଫଳରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି ଭାରତ। ପ୍ରଥମ ଟି-୨୦ ବର୍ଷାରେ ବାତିଲ୍ ହୋଇଥିଲା। ଦ୍ଵିତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ତୃତୀୟ ମ୍ୟାଚ୍ ଭାରତ ଜିତିବାରୁ ସିରିଜ୍ ୧-୧ରେ ବରାବର ଥିଲା। ଚତୁର୍ଥ ଟି-୨୦ ମ୍ୟାଚ୍ ଜିତି ଭାରତ ୨-୧ରେ ଅଗ୍ରଣୀ ହାସଲ କରିଥିଲା। ଆଉ ପଞ୍ଚମ ଟି-୨୦ ବର୍ଷାରେ ଧୋଇଯିବା ପରେ ଭାରତ ସିରିଜ ନିଜ ନାଁରେ କରିଛି। ଏଥିସହ କୋଚ ଭାବେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳରେ ଭାରତର ଟି-୨୦ ସିରିଜ ବିଜୟ ଅବ୍ୟାହତ ରହିଛି।
ପଞ୍ଚମ ଟି-୨୦ରେ ଟସ୍ ହାରି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରିଥିଲା। ଦୁଇ ଓପନର ଶୁଭମନ ଗିଲ୍ ଓ ଅଭିଷେକ ଶର୍ମା ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆ ବୋଲରଙ୍କ ଚାପରେ ରଖିଥିଲେ। ଅଭିଷେକଙ୍କୁ ଦୁଇଟି ଜୀବନଦାନ ମିଳିଥିଲା। ଦଳ ୪.୫ ଓଭରରେ ବିନା ଓ୍ଵିକେଟ୍ ହରାଇ ୫୨ ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଏହି ସମୟରେ ଅଭିଷେକ ଶର୍ମା ୧୩ ବଲରୁ ଗୋଟିଏ ଚୌକା ଓ ଗୋଟିଏ ଛକା ସହ ୨୩ ରନ କରିଥିଲେ। ଶୁଭମନ ଗିଲ୍ ୧୬ ବଲରୁ ୬ ଚୌକା ସହ ୨୯ ରନ କରି ଭଲ ଫର୍ମରେ ନଜର ଆସିଥିଲେ।
ତେବେ ବର୍ଷା ନ ଛାଡ଼ିବାରୁ ଶେଷରେ ମ୍ୟାଚ୍ ରେଫରୀ ମ୍ୟାଚ୍ ରଦ୍ଦ ଘୋଷଣା କରିଥିଲେ। ଫଳରେ ସୂର୍ଯ୍ୟକୁମାରଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି। ଏହା ସହ ଅଷ୍ଟ୍ରେଲିଆ ନିଜ ଘରୋଇ ମାଟିରେ ଭାରତ ବିପକ୍ଷରେ ଟି-୨୦ ସିରିଜ୍ ଏ ପର୍ଯ୍ୟନ୍ତ ଜାରି ପାରିନି। ଏଥିସହ ଭାରତର ଅଷ୍ଟ୍ରେଲିଆ ଗସ୍ତ ଟି-୨୦ ସିରିଜ୍ ବିଜୟ ସହ ସଂପନ୍ନ ହୋଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଦିନିକିଆ ସିରିଜ ୨-୧ରେ ଜିତିଥିଲା। ଏବେ ନଭେମ୍ବର ୧୪ରୁ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବ।