ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷାକୁ ଉଚ୍ଚ ଶିକ୍ଷା ବିଭାଗ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶନାମା ଜାରି କରୁଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ରେଜିଷ୍ଟାର ଏବଂ ଅଧ୍ୟକ୍ଷମାନଙ୍କୁ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ ।
ଚିଠିରେ କୁହାଯାଇଛି ଯେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।
ଏଥିସହ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (ପୋସ୍ ଧାରା, 2013) ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କଡ଼ାକଡ଼ି ଭାବେ ପାଳନ କରିବା ସହ ଏହି ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ କର୍ମଶାଳାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନେ ଯୋଗଦେବେ ଏବଂ ପୋସ୍ ଆକ୍ଟର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଶପଥ ନେବେ । କର୍ମଶାଳା ଆୟୋଜନର ସବିସ୍ତୃତ ବିବରଣୀ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।