ଭୁବନେଶ୍ୱର: ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି।ଓଡ଼ିଶା ସରକାର ବୁଧବାର ଦିନ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ଘୋଷଣା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କମିଟିରେ ଉଭୟ ଶାସକ ସହିତ ବିରୋଧୀ ଦଳର ସଦସ୍ୟ ମଧ୍ୟ ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଗଠିତ ଏହି କମିଟି ମହାନଦୀ ଜଳ ବିବାଦ ସମ୍ପର୍କିତ ସମସ୍ତ ପ୍ରସଙ୍ଗର ଅନୁଧ୍ୟାନ କରିବ ଏବଂ ଜାତୀୟ ଟ୍ରିବ୍ୟୁନାଲରେ ଚାଲିଥିବା ପ୍ରକ୍ରିୟା ପୂର୍ବରୁ ରାଜ୍ୟର ସ୍ଥିତି ସମ୍ପର୍କରେ ମାର୍ଗଦର୍ଶନ କରିବ। ଏହି କମିଟିରେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ସମ୍ପଦ ସ୍ବାଇଁ ଅଛନ୍ତି। ଏଥିସହ ସରୋଜ ପ୍ରଧାନ, ନିରଞ୍ଜନ ପୂଜାରୀ, ଜୟନାରାୟଣ ମିଶ୍ର ଓ ସୋଫିଆ ଫିର୍ଦୋସ୍ ପ୍ରମୁଖ ସଦସ୍ୟ ରହିଛନ୍ତି।
୨୦୧୬ ମସିହାରେ ମହାନଦୀକୁ ନେଇ ଛତିଶଗଡ଼-ଓଡିଶା ମଧ୍ୟରେ ଜଳ ବିବାଦ ଆରମ୍ଭ ହୋଇଥିଲା। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରୁ ମହାନଦୀରେ ପାଣି ଛାଡିବାକୁ ନେଇ ସେ ସମୟରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେ ସମୟରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଥିଲେ ବିଜେପିର ରମଣ ସିଂ ସରକାର ଆଉ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର। ଏବେ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଜଳ ବିବାଦ ସମାଧାନ ହେବାନେଇ ଆଶା ବୃଦ୍ଧି ହୋଇଛି।ଅଧିକ ପଢନ୍ତୁ: ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା; ଜାଣନ୍ତୁ କେତେ ଟଙ୍କା ହେଲା ବୃଦ୍ଧି