ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ପୁଣି ଆସିଛି ବର୍ଷା ସତର୍କବାଣୀ। ଆସନ୍ତା ଜୁଲାଇ ୨୫ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଡ଼ୋ ପବନ ବହିବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଜୁଲାଇ ୨୧ରେ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ବଜ୍ରପାତ ସହ ଝଡ଼ ପବନ ବହିପାରେ।
ଜୁଲାଇ ୨୨ରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ବଜ୍ରପାତ ସହ ପବନ ବହିବ।
ଜୁଲାଇ ୨୩ରେ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷାର ସତର୍କତା ଜାରି ହୋଇଛି। ଏହାସହ ଉପକୂଳ ଓ ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ବଜ୍ରପାତ ଓ ୩୦ରୁ ୪୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି।
ଜୁଲାଇ ୨୪ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ବଜ୍ରପାତ ଓ ଝଡ଼ ପବନର ସମ୍ଭାବନା ରହିଛି। ଜୁଲାଇ ୨୫ରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ବଜ୍ରପାତ ସହ ପବନ ବହିପାରେ।
ପାଣିପାଗ ବିଭାଗ ଲୋକଙ୍କୁ ବଜ୍ରପାତ ସମୟରେ ଗଛ ତଳେ କିମ୍ବା ଖୋଲା ସ୍ଥାନରେ ନ ରହିବାକୁ ପରାମର୍ଶ ଦେଇଛି। ଚାଷୀ, ମତ୍ସ୍ୟଜୀବୀ ଓ ଯାତ୍ରୀମାନଙ୍କୁ ସତର୍କ ରହିବା ସହ ନିୟମିତ ଭାବେ IMDର ପାଣିପାଗ ସୂଚନା ଉପରେ ନଜର ରଖିବାକୁ କୁହାଯାଇଛି। ବର୍ଷାର ପରିସ୍ଥିତି ଯେକୌଣସି ସମୟରେ ବଦଳିପାରେ ବୋଲି IMD ସଚେତନ କରିଛି।