ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜୀବନି ଉପରେ ଆଧାରିତ ରାମଲୀଳା । ସହର ତଥା ବିଭିନ୍ନ ଗାଁ ମାନଙ୍କରେ ରାମ ନବମୀ ଠାରୁ ଆରମ୍ଭ ହୁଏ ରାମଲୀଳା । କ୍ରମସହ ଲୁଚି ଯାଉଥିବା ଏହି ମହାନ ରାମଲୀଳା ପରମ୍ପରା ଏବେବି କିଛି ଅଞ୍ଚଳରେ ବଞ୍ଚିଛି । ଏହି ପରମ୍ପରାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ହେଉଥିବା ବେଳେ ଏଥିରେ ଏକ ବଡ ଭୂମିକା ନେଇଥାନ୍ତି ରାମଲୀଲାରେ ବ୍ୟବହୃତ ହେଉଥିବା ମୁଖା ତିଆରି କାରିଗର । ତେବେ କାଗଜ ଓ ମାଟିରେ ବିଭିନ୍ନ ଚରିତ୍ରର ମୁଖା ତିଆରି କରି ନିଜର ଭିନ୍ନ ପରିଚୟ ସୃଷ୍ଟିକରିଥିବା ଜଣେ କଳାକାର ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଠିକାଦାର ପଡାର ପ୍ରଦୀପ ରଣା ।
ପ୍ରଦୀପ ଅନ୍ୟ କୁମ୍ଭାର ମାନଙ୍କ ଭଳି ମାଟି ତିଆରି ସାମଗ୍ରୀ ଏବଂ ମୂର୍ତ୍ତି ତିଆରି କରନ୍ତି କିନ୍ତୁ ରାମଲୀଲା ପାଇଁ ମୁଖା ତିଆରି କରି ସେ ପାଇଛନ୍ତି ସ୍ୱତନ୍ତ୍ର ପରିଚୟ । ରାମ ନବମୀ ଠାରୁ ପ୍ରାୟତଃ ଅନେକ ଗାଁ ମାନଙ୍କରେ ଆରମ୍ଭ ହୋଇଥାଏ ରାମଲୀଲା । ଏହା ପଶ୍ଚିମଓଡିଶାର ଏକ ପ୍ରମୁଖ ପରମ୍ପରା ମଧ୍ୟ ଅଟେ । ଏଥିରେ ଗାଁ ଲୋକ ମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରି ରାମାୟଣ କୁ ଲୋକଙ୍କ ସମ୍ମୁଖରେ ପ୍ରଦର୍ଶନ କରନ୍ତି । ତେବେ ରାମଲୀଲାରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ପାଇଁ ଆବଶ୍ୟକ ପଡିଥାଏ ଭିନ୍ନ ଭିନ୍ନ ଆକୃତିର ମୁଖା । ଯାହାକୁ ତିଆରି କରିଥାନ୍ତି ପ୍ରଦୀପ । କାର୍ତ୍ତିକ ମାସରୁ ସେ ମୁଖା ତିଆରି କରିବା ଆରମ୍ଭ କରନ୍ତି । ନିଜ ଅଞ୍ଚଳର ଘର ଘର ବୁଲି ପେପର ସଂଗ୍ରହ କରିଥାନ୍ତି । ତାକୁ ପାଣିରେ କିଛି ସମୟ ରଖିବା ପରେ ସେଥିରେ ଅଠା ଦେଇ ବିଭିନ୍ନ ଆକୃତିର ମୁଖା ତିଆରି କରନ୍ତି । ତାକୁ ଖରାରେ ଶୁଖାଇବା ପରେ ରଙ୍ଗ ବୋଳି ବିକ୍ରୀ କରିଥାନ୍ତି । ଜିଲ୍ଲାରେ ସେ ଏକମାତ୍ର କଳାକାର ଯିଏକି ଏହିଭଳି ମୁଖା ତିଆରି କରୁଥିବା ଜଣାପଡିଛି । ତାଙ୍କ ଠାରୁ ବଲାଙ୍ଗିର ସହର, ଜିଲ୍ଲା ତଥା ଜିଲ୍ଲା ବାହାରର ବ୍ୟବସାୟୀ ମାନେ ଆସି ଏହି ମୁଖା କିଣିଥାନ୍ତି । ଖର୍ଚ୍ଚ ଓ ପରିଶ୍ରମର ମୂଲ୍ୟ ମିଲୁନଥିଲେ ସୁଦ୍ଧା ବୟସ ଅପରାହ୍ନରେ ସେ ପରମ୍ପରା ଓ କଳା କୁ ବଞ୍ଚାଇ ରଖିବାକୁ ତାଙ୍କର ଏକ ପ୍ରୟାସ ବୋଲି କହନ୍ତି ପ୍ରଦୀପ । ନିଜ ଘରେ ଏହି ମୁଖା ତିଆରି କରିଥାନ୍ତି ଆଉ ମୁଖା ତିଆରିରେ ତାଙ୍କୁ ସହଯୋଗ କରନ୍ତି ତାଙ୍କ ଝିଅ ଓ ତାଙ୍କ ସ୍ତ୍ରୀ । ବିଭିନ୍ନ ସଂସ୍କୃତି, ପରମ୍ପରା ମଧ୍ୟରେ ରାମଲୀଲା ହେଉଛି ଜିଲ୍ଲାର ଏକ ଅନନ୍ୟ ପରମ୍ପରା । ଏହି ରାମଲୀଲା ପରମ୍ପରା ବଂଚିଲେ ମୁଖା ତିଆରି କାରିଗରର ବ୍ୟବସାୟ ଚଳିବ। ଆଧୁନିକତା ଓ ଡିଜିଟାଲ ଯୁଗରେ ଯଦିଓ ରାମଲୀଲା ପରମ୍ପରା ପ୍ରଭାବିତ ହୋଇଛି ତଥାପି ମୁଖା କାରିଗର ଏହାକୁ ବଂଚାଇବା ଚଳାଇଛନ୍ତି ଉଦ୍ୟମ ।
ଅଧିକ ପଢ଼ନ୍ତୁ : ସାମ୍ନାକୁ ଆସିଲା କୁନି ରାମଲାଲାଙ୍କ ମୂର୍ତ୍ତି