ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବେଆଇନ ଅନଲାଇନ ବେଟିଂ ଆପ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ପୂର୍ବତନ କ୍ରିକେଟର ରବିନ ଉଥପ୍ପାଙ୍କୁ ସମନ ଜାରି କରିଛି । ଏହି ମାମଲାରେ ଉଥପ୍ପାଙ୍କୁ ସେପ୍ଟେମ୍ବର ୨୨ରେ ପଚରା ଉଚୁରା କରାଯିବ । ପିଟିଆଇ ଅନୁଯାୟୀ, ମଙ୍ଗଳବାର ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ୩୯ ବର୍ଷୀୟ ଉଥପ୍ପାଙ୍କୁ ୱାନଏକ୍ସବେଟ୍ ନାମକ ଏକ ପ୍ଲାଟଫର୍ମ ସହ ସଂପର୍କିତ ମାମଲାରେ ପିଏମଏଲଏ ଆଧାରରେ ବୟାନ ରେକର୍ଡ ଓ ସାକ୍ଷ୍ୟ ଦେବା ପାଇଁ କୁହାଯାଇଛି ।
ଦିଲ୍ଲୀରେ ଏହି ମାମଲାରେ ତୃତୀୟ କ୍ରିକେଟର ଭାବେ ରବିନ ଉଥପ୍ପାଙ୍କୁ ଏହି ସମନ ଜାରି କରାଯାଇଛି । ଇଡି ଗତ କିଛି ସପ୍ତାହରେ ପୂର୍ବତନ କ୍ରିକେଟର ସୁରେଶ ରୈନା ଓ ଶିରଖ ଧାୱନଙ୍କୁ ମଧ୍ୟ ପଚରାଉଚୁରା କରିଥିଲା । ଏହି ମାମଲାରେ ସୋମବାର ପୂର୍ବତନ ଟିଏମସି ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଥିଲା । ଅନ୍ୟପଟେ ୱାନଏକ୍ସବେଟର ଭାରତର ବ୍ରାଣ୍ଡ ଆମ୍ବାସଡର ତଥା ଅଭିନେତ୍ରୀ ଉର୍ବଶୀ ରୌତେଲା ମଙ୍ଗଳବାର ନିର୍ଦ୍ଧାରିତ ସମୟରେ ଏ ପର୍ଯ୍ୟନ୍ତ ଇଡି କାର୍ଯ୍ୟାଳୟରେ ହାଜର ହୋଇ ନାହାନ୍ତି ।
ଏହି ଅନଲାଇନ ବେଟିଂ ଆପ ଜରିଆରେ ଅନେକ ଲୋକ ଏବଂ ନିବେଶକ କୋଟି କୋଟି ଟଙ୍କାର ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଟ୍ୟାକ୍ସ ଚୋରିର ମଧ୍ୟ ଅଭିଯୋଗ ହେଇଛି । କମ୍ପାନି ଅନୁସାରେ ୱାନଏକ୍ସବେଟ ବିଶ୍ୱସ୍ତରରେ ମାନ୍ୟତାପ୍ରାପ୍ତ ବେଟିଂ, ଯିଏ ବେଟିଂ ଉଦ୍ୟୋଗରେ ୧୮ ବର୍ଷ ଧରି କାର୍ଯ୍ୟରତ । କମ୍ପାନି କହିଛି, ଏହି ବ୍ରାଣ୍ଡ ଗ୍ରାହକଙ୍କ ହଜାର ସଂଖ୍ୟକ ଖେଳ ଆୟୋଜନ ଉପରେ ବେଟିଂ କରି ପାରିବେ । କମ୍ପାନିର ୱେବସାଇଟ ଏବଂ ଆପରେ ୭୦ ଭାଷାରେ ଏହା ଉପଲବ୍ଧ । ହେଲେ ଭାରତରେ ଏବେ ରିୟଲ ମନି ଆଧାରିତ ଗେମକୁ ନିଷେଧ କରାଯାଇଛି ।
Also read: ଏହି ଦିନ ଏସିଆ କପରୁ ପାକିସ୍ତାନର ହେବ ଛୁଟି ? ସୁପର-୪ ପୂର୍ବରୁ ବାଦ୍ ପଡିବାର ଦ୍ୱାର ଦେଶରେ ଦଳ