ଗହଣା ବ୍ୟବସାୟୀଙ୍କୁ ଗୁଳି କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ଗହଣା ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଅନୁଗୁଳ ଖଲାରୀ ଅଞ୍ଚଳର ପ୍ରକାଶ ଚନ୍ଦ୍ର ସାହୁ । ଗୁଳି ମାଡ଼ରେ ଗହଣା ବ୍ୟବସାୟୀ ଗୁରୁତର ହୋଇପଡିଛନ୍ତି । ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଣ୍ଟାରେ ଗୁଳି ବାଜିଥିବାବେଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ହେଉଛି । ଦୁର୍ବୃତ୍ତମାନେ ପ୍ରକାଶଙ୍କ ଠାରୁ ଏକ ଲକ୍ଷ ଟଙ୍କା, ସୁନା ଚେନ ଓ ସୁନା ଗହଣା ଲୁଟି ନେଇଛନ୍ତି । ଲୁଟ ହୋଇଥିବାର ଗହଣାର ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ ବ୍ୟବସାୟୀ ଜଣକ ତାଙ୍କ ବାଇକ ଯୋଗେ କଟକ ଗହଣା କିଣିବାକୁ ଯାଇଥିଲେ । କଟକରୁ ଫେରୁଥିବା ସମୟରେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ନିକଟରେ ତିନି ଜଣ ଦୁର୍ବୁତ୍ତ ପଲସର ଓ ଆପାଚି ବାଇକରେ ଆସି ଗୁଳି ମାଡ କରିଥିଲେ । ଗୁଳି ମାଡ କରି ପ୍ରକାଶଙ୍କ ଠାରୁ ସୁନା ଗହଣା ଲୁଟ କରି ଫେରାର ହୋଇଯାଇଥିଲେ । ରାସ୍ତା ଉପରେ ଏଭଳି ଘଟଣା ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇ ରାସୋଳ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ : ଧଳାଜହର ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ