ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନୃତ୍ୟ ତଥା ମେରୁ ଯାତ୍ରା ଉଦ୍ଯାପିତ ହୋଇଯାଇଛି । ଚୈତ୍ର ମାସର ମହା ବିଷୁବ ସଂକ୍ରାନ୍ତି ଦିନ ଜିଲ୍ଲାସାରା ହଜାର ହଜାର ଭକ୍ତଙ୍କ ଗହଣରେ ଧୂମଧାମରେ ପାଳିତ ହୋଇଛି ଏହି ମେରୁ ଯାତ୍ରା। ଏହାକୁ ଝାମୁ ଯାତ୍ରା ମଧ୍ୟ କୁହା ଯାଇଥାଏ। ତେବେ ୧୩ ଦିନ ଠାରୁ ଆରମ୍ଭ ହୋଇ ୨୧ ଦିନ ପର୍ଯ୍ୟନ୍ତ ପାଳିତ ହେଉଥିବା ଏହି ଦଣ୍ଡ ନୃତ୍ୟର ଉଦଯାପନ ଦିବସ ଯାତ୍ରାର ଦୃଶ୍ୟ ସଂପୂର୍ଣ୍ଣ ନିଆରା ।
ଏ ଦୃଶ୍ୟ ହେଉଛି ବ୍ରହ୍ମପୁରର ଆମ୍ବପୁଆ ଓ ନିକଟସ୍ଥ ଭାଟକୁମରୁଡ଼ାର । ମା’ କାଳୀଙ୍କୁ ଆବାହନ କରିଥିବା ଭୁକ୍ତାମାନଙ୍କ ଦ୍ୱାରା ପ୍ରଥମେ ହୋମ, ତା' ପରେ ମେରୁ ପୂଜା, ପରେ ଭକ୍ତମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥାଏ। ବିଶ୍ୱାସ ରହିଛି ଆଜି ଦିନରେ ମେରୁ ଶିଖରରେ ୩୩କୋଟି ଦେବତା ରହିଥିବା ଯୋଗୁଁ ଏହି ଯାତ୍ରାର ନାମ ମେରୁ ଯାତ୍ରା। ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟ ପୂଜକଙ୍କୁ ଦୋଳିରେ ଝୁଲାଯାଇ ନିଆଁରେ ଖେଳା ଯାଇଥାଏ। ଯାହାକୁ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ମାନସିକଧାରୀ ଭକ୍ତଙ୍କ ସହ ଶ୍ରଦ୍ଧାଳୁମାନେ ରୁଣ୍ଡ ହୋଇ ମା’ଙ୍କ ଅପାର କରୁଣା ପ୍ରାପ୍ତି କରିଥାନ୍ତି । ଭୁକ୍ତା ନିଆଁରେ ଝୁଲି ମେରୁରେ ଝୁଲିଥିବା ଆମ୍ବକୁ ଭକ୍ତଙ୍କ ଉପରକୁ ଫିଙ୍ଗିଥାନ୍ତି । ଏହି ଆମ୍ବ ପାଇଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଏଥର ଭାଟକୁମରଡ଼ା କାଳୀଙ୍କ ମନ୍ଦିରରେ ହଜାର ହଜାର ଦର୍ଶକଙ୍କ ଭେରି, ତୂରୀ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ । ଛତା, ଛତ୍ରୀ, ଆଲଟ ଚାମର ଶୋଭାଯାତ୍ରାରେ ମା’ କାଳୀଙ୍କ ସାମ୍ନାରେ ଦଣ୍ଡୁଆମାନେ ଦଣ୍ଡନୃତ୍ୟ ପରିବେଷଣ କରିଥିଲେ । ମାନସିକଧାରୀଙ୍କ ମାନିସକ ପୂରଣ କରିବା ନିମନ୍ତେ ଭୁକ୍ତା ନିଆଁ ହୁଳାରେ ଝୁଲୁିବା ବେଳେ ଝୁଣା ନିଆଁର ଝୁଲ ଭିତରେ ମା’ଙ୍କ ଆଗମନର ଦୃଶ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା ।