ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ଓଡ଼ିଶା ଇଲେକ୍ଟ୍ରିକ୍ ରେଗୁଲେଟୋରୀ କମିଶନ (ଓଇଆରସି)ର ଅଧ୍ୟକ୍ଷ ହୋଇଛନ୍ତି । ଶୁକ୍ରବାର ରାଜ୍ୟ ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।
୧୯୮୯ ବ୍ୟାଚ୍ ଆଇଏଏସ୍ ପ୍ରଦୀପ ଜେନା ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିଲେ । ୨୦୨୩, ମାର୍ଚ୍ଚ ୧ରୁ ୨୦୨୪ ଜୁନ ୩୦ ଯାଏ ସେ ଏହି ପଦରେ ରହିଥିଲେ । ତାଙ୍କର କାର୍ଯ୍ୟକାଳଡିସେମ୍ବର ୩୧, ୨୦୨୩ରେ ଶେଷ ହେଉଥିବାବେଳେ ତତ୍କାଳୀନ ସରକାର ୨୦୨୪, ଜୁନ ୩୦ ଯାଏ କାର୍ଯ୍ୟକାଳ ବୃଦ୍ଧି କରିଥିଲେ । ମାତ୍ର ନୂତନ ସରକାର ଆସିବା ପରେ ସେ ଅବସର ଗ୍ରହଣ କରିଥିଲେ । ୧୯୬୪ମସିହା ଜାନୁୟାରୀ ୧ ତାରିଖରେ ପ୍ରଦୀପ ଜେନା ଢେଙ୍କାନାଳ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ ଜିଲ୍ଲାପାଳଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପରେ ସେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ରହିସାରିଛନ୍ତି ।