ଗଞ୍ଜାମ: ବିଜୁ ଜନତା ଦଳର ବରିଷ୍ଠ ନେତାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଛି । ଶୁକ୍ରବାର ଗଞ୍ଜାମ ଜିଲ୍ଲା ବିଜେଡି ଉପ ସଭାପତି ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ଚଢ଼ଉ ହୋଇଛି ।
ଶେରଗଡ଼ରେ ଥିବା ହୃଷୀକେଶ ପାଢ଼ୀଙ୍କ ଘରେ ଇଡିର ତିନି ଜଣିଆ ଟିମ୍ ଚଢାଉ କରିଛି । ତାଙ୍କର ଶେରଗଡ଼ ସ୍ଥିତ ନିଜସ୍ଵ ବାସଭବନ, ପେଟ୍ରୋଲ ପମ୍ପ, ଓ ଟିଭିଏସ୍ ଗାଡ଼ି ସୋ ରୁମ୍ ରେ ଚଢାଉ ହେଉଛି । ପୁଅ ସଚିନ ପାଢ଼ୀଙ୍କ ବ୍ରହ୍ମପୁର ଅମ୍ବିକାନଗର ସ୍ଥିତ ବାସ ଭବନରେ ଚଢାଉ କରିଛି ।
ଖାଲି ବିଜେଡ଼ି ନେତା ନୁହେଁ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ବ୍ୟବସାୟୀ ଯଥା ଠିକାଦାର, ମଦ ବ୍ୟବସାୟୀ ଏବଂ ବାଲି ବ୍ୟବସାୟୀଙ୍କ ଘରେ ଇଡି ଚଢ଼ଉ କରିଛି । ପ୍ରାୟ 20ଟି ଟିମ୍ ଏକାକାଳୀନ ଚଢ଼ଉ କରୁଛନ୍ତି । ସେରଗଡ଼, ଆସିକା, ହିଞ୍ଜିଳି ଓ ବୁଗୁଡ଼ା ଆଦି ସ୍ଥାନରେ ଇଡି ଛାପା ମାରିଛି । ବ୍ରହ୍ମପୁରର ବିଜିପୁର, ଲାଞ୍ଜିପାଲି, ଗାନ୍ଧୀନଗର ଆଦି ସ୍ଥାନରେ ଚଢ଼ଉ କରାଯାଉଛି । ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଆର୍ଥିକ ହେରଫେର ନେଇ ଯାଞ୍ଚ କରାଯାଉଥିବା ଅନୁମାନ କରାଯାଉଛି ।