ଅନୁଗୁଳ: ବୋମା ଖାଇଦେଇଥିବା ଅସୁସ୍ଥ ହାତୀ ଶେଷରେ ମୃତ୍ୟୁ ବରଣ କରିଛି । କପିଳାସ ହାତୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ଅନୁଗୁଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ଗୁରୁବାର ସକାଳେ ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ବାଳୁଅକଟା ଗ୍ରାମ ନିକଟସ୍ଥ ପଥରଗଡ଼ ସାହି ନିକଟରେ ଏକ ଅସୁସ୍ଥ ହାତୀକୁ ଠାବ କରାଯାଇଥିଲା । ହାତୀଟି ଏକ ବୋମା ଖାଇ ଦେଇଥିବା ଜଣାପଡ଼ିଥିଲା । ତାର ପାଟିରୁ ରକ୍ତ ସ୍ରାବ ହେଉଥିଲା । ଏପିରିକି ତାର ପାଟିର ତାଳୁର ହାଡ଼ ମଧ୍ୟ ଭାଙ୍ଗି ଯାଇଥିଲା । ହାତୀର ଚିକିତ୍ସାରେ ତିନୋଟି ଡାକ୍ତରୀ ଦଳ ନିୟୋଜିତ ଥିଲେ । ଗତକାଲି ରାତିରେ କପିଳାସ ହାତୀ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ତାକୁ ବଞ୍ଚାଇବା ସମ୍ଭବ ପର ହୋଇନାହିଁ ।
ସେପଟେ ଡିଏଫଓ କହିଛନ୍ତି ଯେ ଉକ୍ତ ହାତୀଟି ହିନ୍ଦୋଳ ବନାଞ୍ଚଳରୁ ୫୧ ଟିକିଆ ହାତୀ ସହିତ ଅନୁଗୁଳ ଆସିଥିଲା । ମାତ୍ର ସେ ବାଟ ହୁଡ଼ି ଯାଇଥିଲା । ବନ୍ତଳାର ସ୍ଥାନୀୟ ଲୋକେ ମଧ୍ୟ ତାକୁ ଦେଖିଥିଲେ । ହେଲେ ହଠାତ୍ ଗତକାଲି ତାକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ହାତୀ ମୃତ୍ୟୁର ତଦନ୍ତ କରାଯିବ । କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଖୋଜି ବାହାର କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ କହିଛନ୍ତି ।