ସରିଛି ବର୍ଷ ୨୦୨୪ । ନୂଆ ଉତ୍ସାହ ଓ ନୂଆ ସମ୍ଭାବନା ସହ ପାଦ ଥାପିଛି ବର୍ଷ ୨୦୨୫ । ଏଥିପାଇଁ ବଡଦାଣ୍ଡ ପାଲଟିଛି ଜନସମୁଦ୍ର । ଅଗଣିତ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇ ବର୍ଷ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଲାଗିଛି ପ୍ରବଳ ଉତ୍ସାହ । ଶ୍ରୀମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଠାକୁରଙ୍କୁ ଦର୍ଶନ ପରେ ତିନି ଦ୍ୱାର ଦେଇ ମନ୍ଦିରରୁ ବାହାରୁଛନ୍ତି ଶ୍ରଦ୍ଧାଳୁ ।
ଆଉ ଏଥିପାଇଁ ଶ୍ରୀମନ୍ଦିର ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡର ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏ ବ୍ୟାରିକେଡ଼ କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ବ୍ୟାରିକେଡ଼ରେ ଫଙ୍ଖା ଲଗାଯାଇଛି । ଭକ୍ତଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ୩୦ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ସ୍ବେଛାସେବୀଙ୍କୁ ଏଥିପାଇଁ ନିୟୋଜନ କରାଯାଇଛି । ପୋଲିସ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ।
ତେବେ ଗତକାଲି ରାତି ୧୦ଟା ୨୫ରେ ପହୁଡ଼ ହୋଇ ରାତି ୧ଟା ୫ ରେ ଦ୍ୱାର ଫିଟାଯାଇଥିଲା । ପରେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇ ରାତି ୨ ଟାରୁ ଦର୍ଶନ ଆରମ୍ଭ ହୋଇଥିଲା ।