କଟକ: ପୁଣି ବିଜେଡି ଦଳରେ ଫାଟ । ବିଭିନ୍ନ ସମୟରେ ବାରମ୍ବାର କଥା ଛଳରେ ଇଙ୍ଗିତ କରି ବିଜେଡିକୁ କରୁଛନ୍ତି ଟାର୍ଗେଟ ବରିଷ୍ଠ ନେତା ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ବାଳ ।
ପ୍ରଭାତ ରଞ୍ଜନଙ୍କ ପୁଅ ସୌଭିକ୍ ବିଶ୍ୱାଳ ବିଜେଡିରେ ଏବେ ବିଧାୟକ ଅଛନ୍ତି । ନିଜେ ପ୍ରଭାତ ବିଶ୍ୱାଳ ବିଜୁ ଜନତା ଦଳରେ ଥାଇ ବି ସେଇ ଦଳକୁ ଇଙ୍ଗିତ କରିବା ଦର୍ଶାଉଛି ପ୍ରଭାତ ରଞ୍ଜନ ବିଶ୍ୱାଳ ଏବେ ବିଜେଡ଼ିରେ ସନ୍ତୁଷ୍ଟ ନାହାନ୍ତି ।
ଆଜି କଟକ ମହାନଦୀ ବିହାର ଠାରେ ଅନୁଷ୍ଠିତ ଏକ ସ୍ମୃତି ସଭାରେ " ଧଳା ପୋଷାକରୁ ଖଇରିଆ ପୋଷାକ ପିନ୍ଧିବା ଘଟଣାକୁ ନେଇ ପ୍ରଭତ ରଞ୍ଜନ ବିଶ୍ୱାଳ ଯାହା କହିଛନ୍ତି, ତାହା ରାଜ୍ୟ ରାଜନୀତିର ଚର୍ଚ୍ଚା ବଢାଇଛି ।
ସୁବବେଳେ ଆଲୋଚନା ହେଉଥାଏ ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦି ହେବା ପରେ ପ୍ରଭାତ ବିଶ୍ୱାଳ କୁଆଡେ ଧଳା ପୋଷାକ ବଦଳରେ ଖଇରିଆ ରଙ୍ଗର ପୋଷାକ ପିନ୍ଧି ଆସୁଛନ୍ତି । ଏନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହୁଏ । ତେବେ ପୂର୍ବରୁ ଖଇରିଆ ରଙ୍ଗର ପୋଷାକ କାହିଁକି ପିନ୍ଧିଛନ୍ତି ବୋଲି ଯେତେବେଳେ ବାରମ୍ବାର ପ୍ରଶ୍ନ ପଚାରାଯାଇଛି, ସେତେବେଳେ ପ୍ରଶ୍ନର ସ୍ପଷ୍ଟ ଉତ୍ତର ରଖିନାହାନ୍ତି ।
ହେଲେ ଆଜି ଏହାର ସ୍ପଷ୍ଟ ଉତ୍ତର ରଖି କହିଛନ୍ତି, ଗୋଡ଼ ଟଣା ଲୋକଙ୍କ ନୀତି ପାଇଁ ମୁଁ ଏ ପୋଷାକ ପିନ୍ଧିବାକୁ ବାଧ୍ୟ ହେଲି । କେବଳ ଏତିକି ନୁହେଁ ପୌରାଣିକ କଥା କହି ସେ ରାବଣ-କଂସଙ୍କର ଉଦାହରଣ ଦେଇଛନ୍ତି । ରାବଣ କଂସ ହେଉଛନ୍ତି ନେଗଟଭି କ୍ୟାରେକ୍ଟର । ସେହିଭଳି ବର୍ତ୍ତମାନ ଦଳରେ ରାବଣ-କଂସଙ୍କ ଭଳି ଅନେକ ନେଗେଟିଭ୍ କ୍ୟାରେକ୍ଟର ରହିଛନ୍ତି ବୋଲି କହି ବିଜେଡିକୁ ଟାଗେର୍ଟ କରିଛନ୍ତି ପ୍ରଭାତ ବିଶ୍ୱାଳ ।