ପୁରୀ ; ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବା ସହ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ। ଯାହାକୁ ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିବ। ଭକ୍ତଙ୍କ ଭିଡ ନିୟନ୍ତ୍ରଣ,,,ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମୁଦାୟ 70 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଏସ.ପ୍ରବୀଣ କୁମାର। ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ପାଇଁ ଅପରାହ୍ନ 2ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିଥିଲା ।
ଆସନ୍ତାକାଲି ସ୍ନାନପୂର୍ଣ୍ନିମା ପୂର୍ବରୁ ଶ୍ରୀମନ୍ଦିର ଭିତର ଓ ଶ୍ରୀମନ୍ଦିର ଭିତରର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ଉଭୟ କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି। ଆଜିଠାରୁ ଶ୍ରୀମନ୍ଦିର ବାହାରେ ବ୍ୟାପକ ପୋଲିସ ମୁତୟନ ହେବାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଫୋକସ୍ କରିଛି ପୋଲିସ ପ୍ରଶାସନ। ସେପଟେ ଗତବର୍ଷ ପହଣ୍ଡି ବିଭ୍ରାଟ ଭଳି ଚଳିତବର୍ଷ ପହଣ୍ଡିରେ କୌଣସି ବିଭ୍ରାଟ ହେବନାହିଁ ଓ ସମସ୍ତ ନୀତିକାନ୍ତି ସେବାୟତ ମାନେ ଶୃଙ୍ଖଳା ସହ ସମାପନ କରିବେ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର।