ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଖଣ୍ଡା ବୁଲିଛି । ଭରତପୁର ଥାନା ଅଞ୍ଚଳରେ ଏକ ଜମି ବିବାଦକୁ କେନ୍ଦ୍ର କରି ଶନିବାର ମରଣାନ୍ତକ ଆକ୍ରମଣ ହୋଇଛି । ଫଳରେ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟିଥିବା ହିଂସାତ୍ମକ ସଂଘର୍ଷରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ବିଷୁ, ବାପି ଏବଂ ସଂଗ୍ରାମ ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଭୂଦାନରେ ଜମିରେ ବିବାଦ ଥିବା ସତ୍ତ୍ୱେ ଗୋଟିଏ ଗୋଷ୍ଠୀ (ଆକ୍ରମଣ କରିଥିବା) ସେଠାରେ ଜେସିବି ମେସିନ ଲଗାଇ ଖୋଳାଖୋଳି କରିଥିଲେ । ଅପର ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ । ଏମିତି କଥାବାର୍ତ୍ତା ମଧ୍ୟରେ ପ୍ରାୟ ୨୦ରୁ ୩୦ଜଣ ସଂଘବଦ୍ଧଭାବେ ଆସି ବିଷୁ, ବାପି ଏବଂ ସଂଗ୍ରାମକୁ ଆକ୍ରମଣ କରିଥିଲେ । ସେମାନେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ । ଏପରିକି ଲୁହା ରଡରେ ମଧ୍ୟ ପଟିଥିବା ଅଭିଯୋଗ ହୋଇଛି । ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଭରତପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।