ଝାରସୁଗୁଡ଼ା: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ବି ଆଇଟି ରେଡ୍ ଜାରି ରହିଛି। ଆଜକୁ ୩ ଦିନ ହେବ ହେବ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଚାଲିଛି। ସମ୍ବଲପୁରର ମୁଦିପଡ଼ା ଘର ସମେତ ୪ଟି ସ୍ଥାନରେ ରେଡ୍ ରହିଛି। ଘର ସମେତ ବ୍ୟବସାୟିକ ପ୍ରତିଷ୍ଠାନରେ ବି ଚଢ଼ାଉ ଚାଲିଛି।ନବଦାସଙ୍କ ବ୍ୟବସାୟୀ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ କରାଯାଇଛି । ସମ୍ବଲପୁର, ଝାରସୁଗୁଡା, ଭୁବନେଶ୍ୱର ଓ ଦିଲ୍ଲୀରେ ଟିମ କରୁଛନ୍ତି ଚଢ଼ାଉ । ମିସନ ରୋଡ ସ୍ଥିତ ଟ୍ରାନ୍ସପୋର୍ଟ ଅଫିସ, ବାସଭବନ, ହସ୍ପିଟାଲ ଛକ ସ୍ଥିତ ଚାଲାଣ ଅଫିସ, ମସନୀକାନି ସ୍ଥିତ ଅଫିସରେ ଚଢ଼ାଉ ଜାରି ରଖିଛି ଆଇଟି ।
କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। କୋଇଲା ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରାଯାଉଛି । ଆଜିଠୁ କିଛି ମାସ ପୂର୍ବରୁ ସଞ୍ଜୟଙ୍କ ଅଫିସରେ ଆୟକର ବିଭାଗ ରେଡ଼ କରିଥିବା ବେଳେ ଏବେ ପୁଣି ହଠାତ ଚଢ଼ାଉ କରାଯାଇଛି । କୁହାଯାଉଛି ନବଙ୍କ ପୁଅର ବେନାମୀ କମ୍ପାନୀରେ ରହିଛି ସଞ୍ଜୟଙ୍କ ଅନେକ କାରବାର । ନବଙ୍କ ପୁଅ ବିଶାଳ ଦାସଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବାବଦରେ ଟିକନିକ ତଥ୍ୟ ହାସଲ କରିଛି ଆୟକର ବିଭାଗ । ବିଶାଳ ଦାସଙ୍କ ନାଁରେ ଭୂତ କମ୍ପାନି ରହିଛି କି ନାହିଁ ଆୟକର ବିଭାଗ ତାହାର ଯାଞ୍ଚ କରିଥିବା ସୂଚନା ମିଳିଛି।