ବାଲେଶ୍ୱର: ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି । ବିପଦସଂଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ଜଳେଶ୍ବରର ରାଜଘାଟରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା। ବିପଦ ସଙ୍କେତ ୧୦.୩୬ ମି. ସଂଧ୍ୟା ୭ଟା ସୁଦ୍ଧା ଜଳସ୍ତର ୧୦.୮୮ ମି. ଥିଲା । ଫଳରେ ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହୋଇଛି ।
ସେହିପରି ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ କୂଳରେ ଥିବା ବାଉଁଶଖଣା ଓ ମାଟିଖଣା ଗାଁ ଲୋକେ ଏବେ ଆତଙ୍କିତ ହୋଇ ପଡିଛନ୍ତି। ଚଳିତ ବର୍ଷ ସୁବର୍ଣ୍ଣରରେଖାରେ ଏହା ପ୍ରଥମ ବନ୍ୟା ପାଣି। ନଦୀରେ ଜଳ ସ୍ତର ବଢିବା ପରେ ମୟୁରଭଞ୍ଜ ଜିଲ୍ଲାରେ ବି ୧୦୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ପାଣି ଘେରରେ ଅଛନ୍ତି । ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ କୂଳରେ ଥିବା ବାଉଁଶଖଣା ଓ ମାଟିଖଣା ଗାଁ ଲୋକେ ଏବେ ଆତଙ୍କିତ ହୋଇ ପଡିଛନ୍ତି।
ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ହେଉଥିବାରୁ ବାଲେଶ୍ବର ଜିଲ୍ଲାର ୪ଟି ବ୍ଲକରେ ସମସ୍ତ ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ। ବିନା ନିର୍ଦ୍ଦେଶରେ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଜଳେଶ୍ଵର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକରେ ବନ୍ୟା ଆଶଙ୍କା ରହିଛି । ତେଣୁ ଏହି ୪ଟି ବ୍ଲକର ସମସ୍ତ ଅଫିସରଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ପାଇଁ କୁହାଯାଇଛି ଅତ୍ୟାବଶ୍ୟକ ମେଡିସିନ ମହଜୁଦ ରଖିବା, ଶୁଖିଲା ଖାଦ୍ୟ ପଦାର୍ଥ ମହଜୁଦ ରଖିବା ପାଇଁ ବି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି ।