ଭୁବନେଶ୍ୱର: ଆଜି ରାଜ୍ୟରେ ହଇଜା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ସନ୍ଧ୍ୟାରେ ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ସଚିବ, ମହିଳା ଓ ଶିଶୁ ବିକାଶ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ସଚିବ ଏବଂ ଗଣଶିକ୍ଷା ବିଭାଗର ସଚିବଙ୍କ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହେବା ନେଇ ସୂଚନା ମିଳିଛି। ରାଜ୍ୟରେ ଏବେ ଝାଡ଼ାବାନ୍ତି ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ କେମିତି ଆଗକୁ ଡାଇରିଆ ସ୍ଥିତିର ମୁକାବିଲା ହେବ ସେନେଇ ହୋଇପାରେ ବଡ଼ ନିଷ୍ପତ୍ତି ।
ପାଣିରୁ ଡାଇରିଆ ବ୍ୟାପୁଥିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ କେନ୍ଦ୍ରୀୟ ଟିମ୍ ସହ ରାଜ୍ୟ ଟିମ୍ ଜିଲ୍ଲା ଗୁଡ଼ିକରେ ଡେରା ପକାଇଛନ୍ତି । ଡାଇରିଆରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଝାଡାବାନ୍ତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ୟମ ଜାରି ରହିଛି । ପ୍ରାୟ ସବୁ ପ୍ରଭାବିତ ଅଞ୍ଚଳକୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଡାଇରିଆ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ସମୀକ୍ଷାରୁ ଜଣାପଡିଛି, ପରୀକ୍ଷା ପାଇଁ ଯାଇଥିବା ନମୁନାରୁ ୧୦ ପ୍ରତିଶତ କେବଳ କଲେରା ଜୀବାଣୁ ଚିହ୍ନଟ ହୋଇଛି । ୫ଟି ଜିଲ୍ଲା ନୁହେଁ, ୨୫ ଜିଲ୍ଲାକୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ହସ୍ପିଟାଲ ଗୁଡ଼ିକୁ ସଜାଗ ରଖିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।