ଭୁବେନଶ୍ୱର: ସ୍ଥଳ ଭାଗ ଛୁଇଁବା ପରେ ବାତ୍ୟା ଦାନା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଗତ ୬ ଘଣ୍ଟା ହେବ ୭ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ବର୍ତ୍ତମାନ ସ୍ଥଳଭାଗରେ ପବନର ବେଗ ୫୫ରୁ ୭୫ କିମି ରହିଥିବାବେଳେ ଆଗାମୀ ୧୨ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।
ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ବାତ୍ୟା ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଭଦ୍ରକରେ ପ୍ରବଳ ବର୍ଷା ହେବ । ଢେଙ୍କାନାଳ, କେନ୍ଦୁଝର, କଟକରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି ।
ଆଜି ପାଇଁ ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ୧୬ ଜିଲ୍ଲାକୁ ଏବେ ବନ୍ୟା ଆଶଙ୍କା ଦେଖାଦେଇଛି । ଏହି ଜିଲ୍ଲାଗୁଡିକ ହେଲା ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ। ଏସବୁ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ବିଶେଷ କରି ତଳିଆ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ବା ବନ୍ୟା ସ୍ଥିତି ଉପୁଜିପାରେ ।