ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ଶେଷରେ ନିଜର ପଦ ବଜାୟ ରଖିଛନ୍ତି ସରପଞ୍ଚ କଲ୍ୟାଣୀ ସାହୁ । ଅନାସ୍ଥା ପ୍ରସ୍ତାବ ଆଣିଥିବା ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ଉପସ୍ଥିତ ଥିବାରୁ କାଟ୍ ଖାଇଛି ।
ଭୁବନ ବ୍ଲକ କୁନିନ୍ଦା ପଞ୍ଚାୟତର ମୋଟ ୧୨ଜଣ ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣ ସଦସ୍ୟ ଗତ ସେପ୍ଟେମ୍ବର ୧୧ତାରିଖରେ କୁନିନ୍ଦା ଗ୍ରାମ ଶିବ ମନ୍ଦିର ଠାରେ ସ୍ଵତନ୍ତ୍ର ବୈଠକ ଡାକି ଅନାସ୍ଥା ଆଗତ କରିଥିଲେ । ନାଏବ ସରପଞ୍ଚ ପ୍ରବୀର୍ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନାସ୍ଥା ଆଗତ କରାଯାଇଥିଲା । ରିନା ପ୍ରଧାନ (୨), ବବିନା ବାରିକ୍ (୪) କାମିନୀ ପ୍ରଧାନ (୫), ଅପର୍ଣ୍ଣା ମହାନ୍ତି (୬), କଳ୍ପନା ମିଶ୍ର (୮) ପ୍ରଭାତୀ ନାୟକ (୯) ଏବଂ ବୈଶାଖୀ ପରିଡ଼ା (୧୦) ଅନାସ୍ଥା ବୈଠକରେ ଉପସ୍ଥିତ ଥିଲେ ।
ଏନେଇ ସେପ୍ଟେମ୍ବର ୧୭ରେ କାମାକ୍ଷାନଗର ଉପ ଜିଲ୍ଲାପାଳ ନାରାୟଣ ନାୟକଙ୍କୁ ଭେଟି ଅଭିଯୋଗ କରିଥିଲେ ବିରୋଧୀ ସଦସ୍ୟ । ତେବେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୫କୁ ଦିନ ଧାର୍ଯ୍ୟ କରାଯାଇଥିଲା । ତେବେ ଆଜି ନିର୍ବାଚନ ହୋଇଥିଲା । କିନ୍ତୁ ଅନାସ୍ଥା ଆଣିଥିବା ୮ ଜଣ ସଦସ୍ୟଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ଯଥା ପ୍ରଭାତୀ ନାୟକ ଏବଂ ବୈଶାଖୀ ପରିଡ଼ା ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହୋଇଥିଲେ । ବିରୋଧୀ ସଦସ୍ୟ ଅନୁପସ୍ଥିତ ରହିବାରୁ ଅନାସ୍ଥା କାଟ୍ ଖାଇଥିଲା ଏବଂ ସରପଞ୍ଚ କଲ୍ୟାଣୀ ସାହୁ ନିଜ ପଦ ବଜାୟ ରଖିଛନ୍ତି । ଶେଷରେ କଲ୍ୟାଣୀଙ୍କ ସମର୍ଥକ ବାଣ ଫୁଟାଇ ଉତ୍ସବ ମନାଇଥିଲେ ।
ନିର୍ବାଚନ ଅଧିକାରୀ ଭାବେ ତହସିଲଦାର ଶ୍ରୀଲ ଶୁଭ୍ର ପଟେଲ, ବିଡିଓ ଆୟୁସୀ ମହାପାତ୍ର, ଗ୍ରାମ ପଞ୍ଚାୟତ ଅଧିକାରୀ ମନୋଜ ପ୍ରଧାନ ଏବଂ ପିଇଓ କେ ସତ୍ୟନାରାୟଣ ଉପସ୍ଥିତ ଥିଲେ ।