କେନ୍ଦ୍ରାପଡ଼ା: ସାମୁଦ୍ରିକ ଝଡ଼ ଦାନା ଏବେ ଦୁର୍ବଳ ହୋଇଛି । କିନ୍ତୁ ଲ୍ୟାଣ୍ଡ ଫଲ୍ ବେଳେ ତାଣ୍ଡବ କରିଥିଲା ଦାନା । ଏହାର ପ୍ରଭାବରେ କେଉଁଠି ଘର ଭାଙ୍ଗିଛି ତ ଆଉ କେଉଁଠି ବଡ଼ ବଡ଼ ଗଛ ଟଳି ପଡ଼ିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ଚାଷ ଜମି ଅଧିକ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଚାଷ ଜମିରେ ବର୍ଷା ପାଣି ଭରି ଯାଇଛି । ଫଳରେ ଏବେ ମୁଣ୍ଡର ହାତ ଦେଇଛି ଚାଷୀ ।
ବର୍ତ୍ତମାନ ଚାଷ ଜମିରେ ପାଚିଲା ଧାନ ରହିଛି । ଆଉ ମାତ୍ର କିଛି ଦିନ ପରେ ଧାନ ଅମଳ ଆରମ୍ଭ ହୋଇଥାଆନ୍ତା । ମାତ୍ର ବାତ୍ୟା ଯୋଗୁଁ ଚାଷ ଜମିରେ ପାଣି ଜମି ରହିଛି । ଏହା ସହିତ ପବନ ଯୋଗୁଁ ଧାନ ଗଛ ଶୋଇପଡ଼ିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ହେକ୍ଟକ ହେକ୍ଟର ଧାନ ଜମିରେ ବର୍ଷା ପାଣି ଠିଆ ହୋଇଛି । ଯଦି ପାଣି ନ କମେ ତେବେ ପାଚିଲା ଧାନ ଗଜା ହେବାର ବେଶ ସମ୍ଭାବନା ରହିଛି । ସେପଟେ ଅନେକ ପରିବା ଚାଷ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି । ପନିପରିବା ପଚି ସଢ଼ି ଯିବାର ଅନୁମାନ କରିଛନ୍ତି ଚାଷୀ ।
ଅନ୍ୟପକ୍ଷରେ ତାଳଚୁଆ, ରାଜକନିକା, ଭିତରକନିକା ଆଦି ସ୍ଥାନରେ ମଧ୍ୟ ଦୋକାନ ଘର ଭାଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଛି । କାହାର ଚାଳ ଛପର ଉଡ଼ିଯାଇଥିବା ବେଳେ କେଉଁଛି କାନ୍ଥ ଭୁଶୁଡ଼ିଯାଇଛି । ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିଛି । ସାତଭାୟା ଥଇଥାନ ଆଶ୍ରୟସ୍ଥଳୀ ବଗପାଟିଆରେ ସମୁଦ୍ର ଜୁଆର ପାଣି ପଶିଛି । ଫଳରେ ୫୭୧ରୁ ଉର୍ଦ୍ଧ ପରିବାର ବର୍ତ୍ତମାନ ପାଣି ଘେରରେ ରହିଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି ଯେ ବର୍ଷା କମିବା ପରେ କ୍ଷୟକ୍ଷତିର ଆକଳନ କରାଯିବ । ଯାହାର କ୍ଷତି ହୋଇଥିବା କ୍ଷତି ପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।