ଭୁବନେଶ୍ୱର: ଭୀଷଣ ରୂପ ଧରି ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଯାଇଛି । ଫଳରେ ଏହାର ପ୍ରକୋପ କମ ଦେଖିବାକୁ ମିଳିଛି । ଗତକାଲି ରାତି ୧୨ଟାରେ ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁଥିବା ବେଳେ ଏହାର ପ୍ରକ୍ରିୟା ସାଢେ ୮ ଘଣ୍ଟା ଧରି ଚାଲିଥିଲା । ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ଲ୍ୟାଣ୍ଡଫଲରେ ବିଳମ୍ବ ହୋଇଥିଲା । ଶୁକ୍ରବାର ଏହାର ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ସେ କହିଛନ୍ତି, ସାଧାରଣତଃ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ୫ରୁ ୬ ଘଣ୍ଟା ଲାଗିଥାଏ । କିନ୍ତୁ ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଢେ ଆଠ ଘଣ୍ଟା ଧରି ଚାଲିଥିଲା । ବାତ୍ୟା ସ୍ଥଳଭାଗ ଆଡକୁ ଅଗ୍ରସର ହେବା ବେଳେ ପୂର୍ବ ଓ ପଶ୍ଚିମରେ ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା । ଏହା ବାତ୍ୟା ଦାନାକୁ ଦୁଇ ପଟୁ ଚାଲି ଦେଇଥିଲା । ଗୁରୁଚାପ ବଳୟରୁ ନିର୍ଗତ ଶୁଷ୍କ ବାୟୁ ଦାନା ମଧ୍ୟରେ ପ୍ରବେଶ କରିଥିଲା । ଫଳରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବ ଘଟିବା ସହ ଦୁର୍ବଳ ହୋଇ ମନ୍ଥର ଗତିରେ ଗତି କରିଥିଲା । ଏହା ଯୋଗୁଁ ବାତ୍ୟା ଶକ୍ତିଶାଳୀ ହୋଇ ପାରି ନ ଥିଲା ଏବଂ ବର୍ଷାର ପରିଣାମ କମ ରହିଥିଲା । ଅନ୍ୟପଟେ ବାତ୍ୟା ଦାନାର ଆଖି ମଧ୍ୟ ସୃଷ୍ଟି ହୋଇ ନ ଥିଲା ।
ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦୁର୍ବଳ ହେବା ଆରମ୍ଭ କରିଛି । ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ଯେ ବାତ୍ୟା ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବ ।
ବାତ୍ୟାର ପ୍ରଭାବରେ ବାଲେଶ୍ୱର, ମୟୁରଭଞ୍ଜ ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ କେନ୍ଦୁଝରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ତଳିଆ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ବା ବନ୍ୟା ସ୍ଥିତି ଉପୁଜିପାରେ ବୋଲି ନିର୍ଦ୍ଦେଶିକା କହିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ରାଜକନିକାରେ ସର୍ବାଧିକ ୧୫୬ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଜିଲ୍ଲାର ରାଜନଗର, ମାର୍ଶାଘାଇ ଓ ଡେରାବିଶରେ ୧୧୦ରୁ ୧୨୦ ମି.ମି, ଭଦ୍ରକ ବାସୁଦେବପୁରରେ ୧୧୦ ମି.ମି, ବାଲେଶ୍ୱର ଔପଦା ୧୦୯ ମି.ମି, ଚାନ୍ଦବାଲିରେ ୧୦୫ ମି.ମି, ଖୋର୍ଦ୍ଧା ବାଲିଅନ୍ତାରେ ୯୨ ମି.ମି ଏବଂ ମୟୁରଭଞ୍ଜ ବିଷୋଇରେ ୬୮ ମି.ମି ବର୍ଷା ରେକର୍ଡ କରାଯାଇଛି ।