ଭୁବନେଶ୍ୱର: ଅସୁରକ୍ଷିତ ହୋଇପଡ଼ିଛି ରାଜ୍ୟ ରାଜଧାନୀରେ ଜେଲ । କଏଦୀ ସୃଷ୍ଟି କରୁଛନ୍ତି ଆତଙ୍କ । କେତେବେଳେ ଛୁରୀ ଦେଖାଇ ରିଲ୍ସ କରି ସାକ୍ଷୀଙ୍କୁ ଭୟଭୀତ କରୁଛନ୍ତି ତ ଆଉ କେତେବେଳେ ଜେଲରଙ୍କୁ ଆକ୍ରମଣ କରୁଛନ୍ତି । କଏଦୀଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ୩ ଜଣ । ସେଥିରେ ଜେଲର ପ୍ରସନ୍ନ ସାହୁ ଆହତ ହୋଇଛନ୍ତି । ଏ ନେଇ ଆଜି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଆଜି ସକାଳେ ଝାରପଡ଼ା ଜେଲରେ ହଠାତୁ ସାଇରନ୍ ବାଜି ଥିଲା । କଏଦୀ ସନ୍ତୋଷ ନାଏକ, ନାରାୟଣ ମହାନ୍ତି ଓ ଅଜୟ ନାଏକ ଜେଲରଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଜେଲର ପ୍ରସନ୍ନ ସାହୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହିତ ଧକ୍କା ମାରିଥିଲେ । ଖବର ପାଇ ଲକ୍ଷ୍ମୀସାଗର ଥାନ ପୁଲିସ ପହଁଚିଥିଲା । ଏଥିରେ ୩ ଜଣ ଆହତ ହୋଇଛନ୍ତି । ରିଲ୍ସ କରିବା ପରେ ସ୍ୱତନ୍ତ୍ର ସେଲରେ ରଖିବାରୁ ଏମିତି ଆକ୍ରମଣ ହୋଇଥିବା ଖୋଦ ଜେଲର୍ ପ୍ରସନ୍ନ ସାହୁ କହିଛନ୍ତି । ତେବେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି
ଗତ ଦୁଇ ଦିନ ତଳେ ଝାରପଡ଼ା ଜେଲରୁ ଏକ ରିଲ୍ସ ଭାଇରାଲ ହୋଇଥିଲା । କଏଦୀ ହାତରେ ଛୁରୀ ଧରି ଭିଡ଼ିଓ କରି ସାକ୍ଷୀଙ୍କୁ ସେଥିରେ ଧମକ ଦେଉଥିବା ଦେଖିବାକୁ ମିଳିଥିଲେ । ଏହା ପରେ ସେମାନଙ୍କୁ ପଚରା ଉଚରା କରାଯିବା ପରେ ସ୍ୱତନ୍ତ୍ର ସେଲରେ ରଖାଯାଇଥିଲା ।