ଭୁବନେଶ୍ୱର: ଦୀର୍ଘ ୯ ଘଣ୍ଟା ସ୍ଥଳ ଭାଗରେ ତାଣ୍ଡବ କରିବା ପରେ ଶେଷରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ଏହା ଏବେ ଉତ୍ତର-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଅଗ୍ରସର ହେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପାଣି ବିଭାଗର ପୂର୍ବ ଆକଳନ ଅନୁଯାୟୀ, ଗତକାଲି ମଧ୍ୟ ରାତ୍ରିରେ ଏହା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ମାଡ଼ ହୋଇଥିବା ବାତ୍ୟା ଦାନା ସ୍ଥଳ ଭାଗ ଛୁଇଁଥିଲା । ଦୀର୍ଘ ୯ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା । ଏହା ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦୁର୍ବଳ ହେବା ଆରମ୍ଭ କରିଛି । ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ଯେ ବାତ୍ୟା ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବ ।
ବାତ୍ୟାର ପ୍ରଭାବରେ ବାଲେଶ୍ୱର, ମୟୁରଭଞ୍ଜ ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ କେନ୍ଦୁଝରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ତଳିଆ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ବା ବନ୍ୟା ସ୍ଥିତି ଉପୁଜିପାରେ ବୋଲି ନିର୍ଦ୍ଦେଶିକା କହିଛନ୍ତି ।
ବର୍ଷା ରେକର୍ଡ
ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ରାଜକନିକାରେ ସର୍ବାଧିକ ୧୫୬ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଜିଲ୍ଲାର ରାଜନଗର, ମାର୍ଶାଘାଇ ଓ ଡେରାବିଶରେ ୧୧୦ରୁ ୧୨୦ ମି.ମି, ଭଦ୍ରକ ବାସୁଦେବପୁରରେ ୧୧୦ ମି.ମି, ବାଲେଶ୍ୱର ଔପଦା ୧୦୯ ମି.ମି, ଚାନ୍ଦବାଲିରେ ୧୦୫ ମି.ମି, ଖୋର୍ଦ୍ଧା ବାଲିଅନ୍ତାରେ ୯୨ ମି.ମି ଏବଂ ମୟୁରଭଞ୍ଜ ବିଷୋଇରେ ୬୮ ମି.ମି ବର୍ଷା ରେକର୍ଡ କରାଯାଇଛି ।