ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ୧୦ ବର୍ଷ ପରେ ନିର୍ବାଚିତ ସରକାର ମିଳିଛି । ଓମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ସାରିଛନ୍ତି । ଏହା ପରେ ବି କେନ୍ଦ୍ର ଶାସିତ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଗତ ୧୫ ଦିନରେ ଅଲଗା ଅଲଗା ଆତଙ୍କବାଦୀ ଆକ୍ରମଣରେ ଏ ପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ଅକ୍ଟୋବର ୨୪ ତାରିଖ ସନ୍ଧ୍ୟାରେ କାଶ୍ମୀରର ଗୁଲମର୍ଗରେ ପୁଣି ଥରେ ଆତଙ୍କୀ ଆକ୍ରମଣ ଘଟିଛି। ଏଥିରେ ଦୁଇ ଜଣ ଆର୍ମି ପୋର୍ଟର ଓ ଦୁଇ ଯଦବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପର୍ଯ୍ୟଟକ ହବ ନିକଟରେ ଘଟିଛି । ଏହି ଇଲାକାରେ ବିପୁଳ ମାତ୍ରାରେ ସେନା ମୁତୟନ ହୋଇ ମଧ୍ୟ ଆକ୍ରମଣ ହେବା ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହା ପୂର୍ବରୁ ଅକ୍ଟୋବର ୨୦ ତାରିଖରେ ଗାନ୍ଦରବଲ ଜିଲ୍ଲାର ଗଗନଗୀର ଅଞ୍ଚଳରେ ଏକ ସୁଡଙ୍ଗ ନିର୍ମାଣ ସ୍ଥାନରେ ଆତଙ୍କୀ ଆକ୍ରମଣ ଘଟିଥିଲା । ଏହି ଆକ୍ରମଣରେ ଛଅ ଜଣ ବାହାର ରାଜ୍ୟର ଶ୍ରମିକ ଓ ଜଣେ ସ୍ଥାନୀୟ ଡାକ୍ତରଙ୍କ ହତ୍ୟା କରାଯାଇଥିଲା । ଏହି ଲୋକଙ୍କ ଉପରେ ଆତଙ୍କବାଦୀ ଆଖିବୁଜା ଗୁଳି ଚଲାଇଥିଲେ । ଏହା ପୂର୍ବରୁ ୧୮ ତାରିଖରେ ସୋପିଆନରେ ବିହାରର ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା ।
ତେବେ ଗତ ରାତିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଚିନ୍ତାକୁ ଆହୁରି ବଢାଇ ଦେଇଛି । ବାରାମୂଲା, ପୁ’, ସୋପିଆନ, ଗାନ୍ଦରବଲ ଓ କାଶ୍ମୀର ସମେତ ଅଧିକାଂଶ ଅଞ୍ଚଳରେ ସୁରକ୍ଷାବଳ ମୁତୟନ ଥାଇ ବି ଆତଙ୍କୀ ଆକ୍ରମଣ ବୃଦ୍ଧି ଘଟିଛି । ଏହି ସବୁ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି । ଆଶା କରାଯାଉଥିଲା ନୂଆ ସରକାର ଗଠନ ପରେ ଘାଟି ରାଜ୍ୟରେ ଆତଙ୍କୀ ଆକ୍ରମଣ ଥମିବ । କିନ୍ତୁ ଏହା ବୃଦ୍ଧି ଘଟିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତାକୁ ବଢାଇପାରେ ।