ଭୁୁବନେଶ୍ୱର: ଜମ୍ମୁ-କାଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ମିଳିପାରେ । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯାଇପାରେ । ତେବେ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନି । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦିଲ୍ଲୀରେ ବଡ ବୈଠକ ହୋଇଛି । ସରକାର ଗଠନ ପରେ ପ୍ରଥମ ବୈଠକରେ ଏନସି ସରକାର ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ କରିଥିଲେ ।
ଏନଡିଟିଭିର ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ଉପରେ ଶୀଘ୍ର ପ୍ରକ୍ରିୟା ଆରମ୍ଭ କରି ପାରନ୍ତି । ଦିଲ୍ଲୀରେ ଗତକାଲି ଅଧ ଘଣ୍ଟା ପର୍ଯ୍ୟନ୍ତ ବସିଥିବା ବୈଠକ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଥିଲା । ଜମ୍ମୁ-କାଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଭରସା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି, ଏହା ଏକ ଔପଚାରିକ ସାକ୍ଷାତ ଥିଲା । ଏହି ସମୟରେ ସେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଜମ୍ମୁ-କାଶ୍ମୀରର ସ୍ଥିତି ବିଷୟରେ ଅବଗତ କରାଇଥିଲେ । ରାଜ୍ୟ ମାନ୍ୟତା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଅମିତ ଶାହଙ୍କ ସହ ସାକ୍ଷାତ ପରେ ଅବଦୁଲ୍ଲାଙ୍କ ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର ସମ୍ଭାବନା ରହିଛି । ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସାକ୍ଷାତ କରି ପାରନ୍ତି ।
ଏହା ପୂର୍ବରୁ ଉପରାଜ୍ୟପାଳ ମନୋଜ ସିହ୍ନା ମନ୍ତ୍ରିମଣ୍ଡଳର ସେହି ପ୍ରସ୍ତାବକୁ ମଞ୍ଜୁରୀ ଦେଇ ସାରିଛନ୍ତି, ଯେଉଁଥିରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ମାନ୍ୟତା ଦେବାକୁ ଅନୁରାଧ କରାଯାଇଥିଲା । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂଦର୍ଭରେ ଶୀଘ୍ର ପ୍ରସ୍ତୁତି ଆରମ୍ଭ ହେବ ।